ପୁଣି ବଢିଲା ଦୈନିକ କରୋନା ମାମଲା, ଚିହ୍ନଟ ହେଲେ ଆଉ ୪୧ ହଜାର ରୋଗୀ, ୧୧୨ ଦିନ ପରେ ସର୍ବାଧିକ

ନୂଆଦିଲ୍ଲୀ – ଦେଶରେ ପୁଣି ଥରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ମଧ୍ୟ ପୁଣି କରୋନାର ହଟସ୍ପଟରେ ପରିଣତ ହୋଇଛି । ୧୧୨ ଦିନ ପରେ ଦେଶରେ ପ୍ରଥମ ଥର ପାଇଁ ପ୍ରାୟ ୪୧ ହଜାର କରୋନା ମାମଲା ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୦,୯୫୩ ଟି ନୂଆ କରୋନା ମାମଲା ଆସିଛି ଏବଂ ୧୮୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ୨୩,୬୫୩ ଜଣ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପୂର୍ବରୁ, ୨୮ ନଭେମ୍ବର ୨୦୨୦ ରେ ୪୧,୮୧୦ କରୋନା ମାମଲା ରେକର୍ଡ କରାଯାଇଥିଲା।

ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସମୁଦାୟ କରୋନା ମାମଲା ଏକ କୋଟି ୧୫ ଲକ୍ଷ ୫୫ ହଜାର ୨୮୪ କୁ ବୃଦ୍ଧି ପାଇଛି। ସମୁଦାୟ ଏକ ଲକ୍ଷ ୫୯ ହଜାର ୫୫୮ ଲୋକ ପ୍ରାଣ ହରାଇଛନ୍ତି। ଏକ କୋଟି ୧୧ ଲକ୍ଷ ୭ ହଜାର ୩୩୨ ଜଣ କରୋନାକୁ ମାତ୍ର ଦେଇ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୮୮ ହଜାର ୩୯୪ କୁ ବୃଦ୍ଧି ପାଇଛି, ଅର୍ଥାତ୍ ଏପର୍ଯ୍ୟନ୍ତ ଅନେକ ଲୋକ କରୋନା ସଂକ୍ରମିତ ଅଛନ୍ତି।
ଦିଲ୍ଲୀରେ ୭୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ଚଳିତ ବର୍ଷ ନୂଆ ମାମଲାର ରେକର୍ଡ ଭାଙ୍ଗିଛି ।
ମହାରାଷ୍ଟ୍ରରେ ସ୍ଥିତି ସବୁଠାରୁ ଉଦବେଗଜନକ ରହିଛି ।

ମହାରାଷ୍ଟ୍ରରେ ପ୍ରତିଦିନ ସର୍ବାଧିକ କରୋନା ମାମଲା ରିପୋର୍ଟ ହେଉଛି। ଶୁକ୍ରବାର ଦିନ, ଏଠାରେ ୨୫,୬୮୧ ନୂତନ ସଂକ୍ରମଣ ମାମଲା ରେକର୍ଡ ହୋଇଥିଲା। ଏହା ସହିତ ମହାମାରୀ ଯୋଗୁଁ ଆଉ ୭୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୨୪,୨୨,୦୨୧ କୁ ବୃଦ୍ଧି ପାଇଛି ଏବଂ ମୃତକଙ୍କ ସଂଖ୍ୟା ୫୩,୨୦୮ ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ-୧୯ର ୨୧,୮୯,୯୬୫ ରୋଗୀ ଆରୋଗ୍ୟ ହୋଇଛନ୍ତି ଏବଂ ୧,୭୭,୫୬୦ ରୋଗୀ ସଂକ୍ରମିତ ହୋଇଛନ୍ତି। ମୁମ୍ବାଇରେ, କୋଭିଡ -୧୯ ସଂକ୍ରମଣର ୩,୦୬୨ ନୂତନ ମାମଲା ଶୁକ୍ରବାର ଦିନ ରିପୋର୍ଟ ହୋଇଥିଲା, ଏଥିସହିତ ଏହି ମେଟ୍ରୋ ନଗରୀରେ ମୋଟ ସଂକ୍ରମିତ ସଂଖ୍ୟା ୩,୫୫,୮୯ରେ ପହଞ୍ଚିଥିଲା।

ଦେଶରେ ଜାନୁଆରୀ ୧୬ ରେ କରୋନା ଟିକା ପାଇବା ଅଭିଯାନ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ସାରା ଦେଶରେ ୪ କୋଟି ୨୦ ଲକ୍ଷ ୬୩ ହଜାର ୩୯୨ ଡୋଜ ଟିକା ଦିଆଯାଇଛି। ଗତକାଲି ୨୭ ଲକ୍ଷ ୨୩ ହଜାର ୫୭୫ ଡୋଜ ଦିଆଯାଇଥିଲା । ଦ୍ୱିତୀୟ ଟିକା ଦେବା ଅଭିଯାନ ୧୩ ଫେବୃଆରୀରୁ ଆରମ୍ଭ ହୋଇଥିଲା ।
କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ। ଆମେରିକା ପରେ ଭାରତରେ ସୁସ୍ଥ ହାର ବିଶ୍ୱରେ ସର୍ବାଧିକ। ମୃତ୍ୟୁ ମାମଲାରେ ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପଛରେ ରହିଛି ଭାରତ ।

Comments are closed.