ପ୍ରଥମ ଟେଷ୍ଟ: ଡେବୁଟାଣ୍ଟ୍ ମାୟେର୍ସ ଦେଲେ ୱେଷ୍ଟଇଣ୍ଡିଜ୍‌କୁ ଅବିଶ୍ୱସନୀୟ ବିଜୟ

ଚଟୋଗ୍ରାମ – ଡେବୁଟାଣ୍ଟ୍ କାୟେଲ ମାୟର୍ସଙ୍କ ଅପରାଜିତ ଦ୍ୱିଶତକ ବଳରେ ଏଠାରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ଏକ ଅବିଶ୍ୱସନୀୟ ବିଜୟ ହାସଲ କରିଛି । ନିଜ ଡେବ୍ୟୁ ଟେଷ୍ଟ ଖେଳୁଥିବା ମାୟେର୍ସ ଦ୍ୱିତୀୟ ଇନିଂସରେ ଚମତ୍କାର ୨୧୦ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ବାଂଲାଦେଶକୁ ୩ ୱିକେଟରେ ହରାଇ ଦେଇଛି । ବାଂଲାଦେଶ ପ୍ରଦତ୍ତ ୩୯୫ ରନର ବିଜୟଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ପଞ୍ଚମ ତଥା ଶେଷ ଦିବସରେ ୭ ୱିକେଟ୍ ହରାଇ ହାସଲ କରି ଘରୋଇ ଦଳକୁ ସ୍ତବ୍ଧ କରିଦେଇଛି । ଟେଷ୍ଟ ଇତିହାସରେ ଏହା ହେଉଛି ପଞ୍ଚମ ସର୍ବାଧିକ ବିଜୟଲକ୍ଷ୍ୟ, ଯାହାକୁ ୱେଷ୍ଟଇଣ୍ଡିଜ୍ ସଫଳତାର ସହ ଚେଜ୍ କରି ବିଜୟୀ ହୋଇଛି ।

ୱେଷ୍ଟଇଣ୍ଡିଜର ଏହି ଚମକପ୍ରଦ ବିଜୟର ହିରୋ ସାଜିଥିଲେ ମାୟେର୍ସ ଓ ଆଉ ଜଣେ ଡେବୁଟାଣ୍ଟ୍ ଏଙ୍କ୍ରୁମା ବୋନର । ମାୟେର୍ସ ନିଜ ଅପରାଜିତ ମ୍ୟାଚ୍ ବିଜୟୀ ଦ୍ୱିଶତକୀୟ ଇନିଂସ ଅବସରରେ ୨୦ଟି ଚୌକା ଓ ୭ଟି ଛକା ମାରିଥିଲେ । ବୋନର ୧୦ଟି ଚୌକା ଓ ଗୋଟିଏ ଛକା ସହ ୮୬ ରନ୍ କରିଥିଲେ ।

୩୯୫ ରନର ବିଜୟଲକ୍ଷ୍ୟ ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୫୯ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ହେଲେ ମାୟେର୍ସ ଓ ବୋନର ଚତୁର୍ଥ ୱିକେଟ୍ ଭାଗିଦାରୀରେ ୨୧୬ ରନ୍ ଯୋଗକରି ଦଳର ବିଜୟ ଆଶା ଉଜ୍ଜୀବିତ କରିଥିଲେ । ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୩ ୱିକେଟ୍ ହରାଇ ୧୧୦ ରନ୍ କରିଥିଲା । ପଞ୍ଚମ ଦିବସରେ ଦଳକୁ ବିଜୟ ପାଇଁ ଆହୁରି ୨୮୫ ରନ୍ ଆବଶ୍ୟକ ହେଉଥିଲା ବେଳେ ବାଂଲାଦେଶକୁ ୭ ୱିକେଟ୍ ଦରକାର ହେଉଥିଲା । ୱେଷ୍ଟଇଣ୍ଡିଜ୍ ଏକ ଅନଭିଜ୍ଞ ଦଳ ସହ ଖେଳୁଥିବାରୁ ଏହି ମ୍ୟାଚ୍ ଜିତିବାକୁ ବାଂଲାଦେଶ ଫେଭରିଟ୍ ଥିଲା । କିନ୍ତୁ ମାୟେର୍ସ ସବୁ ପୂର୍ବାନୁମାନ ଭୁଲ ପ୍ରମାଣିତ କରି ୱେଷ୍ଟଇଣ୍ଡିଜ୍‌କୁ ସ୍ମରଣୀୟ ବିଜୟ ଦେଇଛନ୍ତି । ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ଦୁଇ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶ ପ୍ରଥମ ଇନିଂସରେ ୪୩୦ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨୫୯ ରନ୍ କରିଥିଲା । ୍‌ଦ୍ୱିତୀୟ ଇନିଂସରେ ଅଧିନାୟକ ମୋମିନୁଲ ହକଙ୍କ ଶତକ ସହାୟତାରେ ବାଂଲାଦେଶ ୨୨୩/୮ରେ ପାଳି ଘୋଷଣା କରିଥିଲା ।

Comments are closed.