ପ୍ରଧାନମନ୍ତ୍ରୀ ନିଜ ମନକଥା କହିଲେ, ଆମ କଥା ଶୁଣିଲେନି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । ସେ ନିଜେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଫୋନରେ କଥା ହୋଇଥିଲେ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବି ଫୋନ୍ କରି ମୋଦି ଝାଡ଼ଖଣ୍ଡରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସୋରେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ଟ୍ୱିଟ୍ କରିଥିଲେ, ଯାହା ଚର୍ଚ୍ଚାର ବିଷୟ ହୋଇଛି । ସୋରେନ୍ କହିଥିଲେ ଯେ, ମୋଦି ଫୋନ୍‌ରେ କେବଳ ନିଜ ମନକଥା କହିଥିଲେ । ଭଲ ହୁଅନ୍ତ ଯଦି ପ୍ରଧାନମନ୍ତ୍ରୀ ଅସଲ କାମର କଥା କହନ୍ତେ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ ମୋଦି ମଧ୍ୟ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ନେଇ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳଙ୍କ ସହ ମଧ୍ୟ କଥା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ମଧ୍ୟରେ କଣ ସବୁ ଆଲୋଚନା ହୋଇଥିଲା, ତାହା ଜଣାପଡିନଥିଲେ ମଧ୍ୟ ସୋରେନ ଗୁରୁବାର ରାତିରେ ଏକ ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ – ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ ଫୋନ୍ କରିଥିଲେ । ସେ କେବଳ ନିଜର ମନକଥା କହିଥିଲେ । ଭଲ ହୁଅନ୍ତା ଯଦି ସେ କାମର କଥା କହନ୍ତେ ଏବଂ କାମର କଥା ଶୁଣିଥାନ୍ତେ ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଜଣେ ନିକଟତମ ସହଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫୋନ୍ କରିଥିଲେ ମଧ୍ୟ ସେ ରାଜ୍ୟରେ କୋଭିଡ୍ ସ୍ଥିତି ସମ୍ପର୍କରେ କିଛି ପଚାରିନଥିଲେ କି ଏହି ମହାମାରୀର ମୁକାବିଲା କରିବା ପାଇଁ ଝାଡ଼ଖଣ୍ଡକୁ କଣ ସହାୟତା ଆବଶ୍ୟକ ତାହା ମଧ୍ୟ ଜାଣିବାକୁ ଚାହିଁନଥିଲେ । ଝାଡ଼ଖଣ୍ଡକୁ ଆବଶ୍ୟକୀୟ କୋଭିଡ୍ ଔଷଧ ମିଳୁନି । କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ଫୋନରେ ତାଙ୍କ କଥା ହିଁ କହି ଚାଲିଥିଲେ । ମୋଦିଙ୍କ ଏଭଳି ଆଭିମୁଖ୍ୟରେ ମୁଖ୍ୟମନ୍ତ୍ରୀ ବେଶ୍ ନିରାଶ ହୋଇଥିଲେ । ଯେଉଁ କାରଣରୁ ତାଙ୍କୁ ଏହି ଟ୍ୱିଟ୍ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି ।

Comments are closed.