ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି: ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଦାବି

କୋଲକାତା: କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଦାବି କରିଛନ୍ତି । ଏହାଛଡ଼ା କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ଔଷଧ ସହ ମେଡିକାଲ ଅକ୍ସିଜେନ ଯୋଗାଇ ଦେବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

ନିର୍ବାଚନ ପ୍ରଚାର ବେଳେ ବି ମମତା ସବୁ ନାଗରିକଙ୍କୁ ମାଗଣା ଟିକା ଦେବାକୁ ଦାବି କରିଥିଲେ । ମେ ୨ରେ ମମତାଙ୍କ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରିବା ପରେ ମାଗଣା ଟିକା ଦାବିରେ ସେ ଧାରଣା ଦେବେ ବୋଲି ମମତା ଧମକ ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ମମତା କୋଭିଡ୍ ବିରୋଧୀ ଲଢ଼େଇ ପାଇଁ ଚାରୋଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମତଃ ସେ ସବୁ ନାଗରିକଙ୍କ ପାଇଁ ମାଗଣା ଟିକା ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସେ ସବୁ ରାଜ୍ୟକୁ ରେମଡେସିଭିର ଏବଂ ଟୋସିଲିଜୁମାବ ଭଳି ଔଷଧ ପର୍ଯ୍ୟାପ୍ତ ପରିମାଣରେ ପଠାଇବାକୁ କହିଛନ୍ତି । ଏହାଛଡ଼ା ସେ ପଶ୍ଚିମବଙ୍ଗକୁ ଆବଶ୍ୟକ ମୁତାବକ ଦୈନିକ ୪୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଯୋଗାଇବାକୁ ଦାବି କରିଛନ୍ତି ।

ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେବେ ଏହି ବୟସ ବର୍ଗର ଲୋକଙ୍କ ଟିକାକରଣ ଦେୟଯୁକ୍ତ ହେବ ବୋଲି କୁହାଯାଇଛି । ଲୋକଙ୍କ ଉପରୁ ଚାପ ଲାଘବ ପାଇଁ କିଛି ରାଜ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ମାଗଣା ହେବ ବୋଲି ଘୋଷଣା କରିଛନ୍ତି । ଟିକାର ଅଭାବ ଯୋଗୁଁ ଅନେକ ରାଜ୍ୟରେ ଏହି ବୟସବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହୋଇପାରି ନାହିଁ ।

Comments are closed.