ଅମ୍ବାଲା ଓ କର୍ଣ୍ଣାଲରେ ଟୋଲ ପ୍ଲାଜା କବ୍‌ଜା କଲେ ଆନ୍ଦୋଳନରତ ଚାଷୀ, ବିନା ଟୋଲ୍ ଦେଇ ଯାଉଛନ୍ତି ଯାନବାହାନ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି । ସେମାନେ ଆଜିଠୁ ଦେଶବ୍ୟାପୀ ଟୋଲ୍ ପ୍ଲାଜା ବନ୍ଦ କରିବା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଚାଷୀମାନେ ଅମ୍ବାଲା ସ୍ଥିତ ଶମ୍ଭୁ ଟୋଲ୍ ପ୍ଲାଜା ବନ୍ଦ କରିଦେଇଛନ୍ତି । ଏହି ଟୋଲ୍ ପ୍ଲାଜା ଦେଇ ଯାନବାହାନ ଏବେ ବିନା ଟୋଲ୍ ଦେଇ ଯିବା ଆସିବା କରୁଛନ୍ତି ।

ସେହିପରି କର୍ଣ୍ଣାଲ ସ୍ଥିତ ବସ୍ତାରା ଟୋଲ୍ ଉପରେ ବି ଚାଷୀମାନେ କବ୍‌ଜା କରିଛନ୍ତି । ସେମାନେ ଆଜି ଦିଲ୍ଳୀ-ଜୟପୁର ଓ ଦିଲ୍ଳୀ ଆଗ୍ରା ରାଜପଥ ମାର୍ଗ ମଧ୍ୟ ଜାମ୍ କରିବେ । ତେବେ ସରକାରଙ୍କ ସହ କଥାବାର୍ତ୍ତାର ଦ୍ୱାର ସେମାନେ ଖୋଲା ରଖିଛନ୍ତି ବୋଲି କହିଛନ୍ତି । ସରକାରଙ୍କ ତରଫରୁ ଏନେଇ ଆମନ୍ତ୍ରଣ କରାଗଲେ ସେମାନେ ପୁଣି ଆଲୋଚନା କରିବାକୁ ପ୍ରସ୍ତୁତ ।

ସୂଚନା ଯୋଗ୍ୟ, କୃଷି ଆଇନ ନେଇ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ଏଯାବତ୍ ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ବି ଏହି ପ୍ରସଙ୍ଗରେ କୌଣସି ସମାଧାନ ବାହାରି ପାରିନାହିଁ ।

Comments are closed.