ଆଜି ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ – ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଆଜି ଠାରୁ ରାଜଧାନୀ ଦିଲ୍ଲୀର ମ୍ୟାଜେଣ୍ଟା ଲାଇନରେ ଗଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋର ଉଦଘାଟନ କରିବେ । ଏହାଛଡା ବିମାନବନ୍ଦର ଏକ୍ସପ୍ରେସ ଢାଞ୍ଚାରେ ପିଏମ ମୋଦି ନ୍ୟାସନାଲ କମନ ମୋବିଲିଟି କାର୍ଡ (ଏନସିଏମସି) ସେବା ମଧ୍ୟ ଆରମ୍ଭ କରିବେ। ଦିଲ୍ଲୀ ମେଟ୍ରୋ ବିଶ୍ବର ସପ୍ତମ ମେଟ୍ରୋ ନେଟୱାର୍କ ହେବ ଯେଉଁଠାରେ ଚାଳକ ବିହୀନ ଟ୍ରେନ୍ ଚଳାଚଳ କରୁଛି।

ସର୍ବନିମ୍ନ ମାନବ ହସ୍ତକ୍ଷେପ ସହ ଚାଳକ ବିହୀନ ଟ୍ରେନ୍ ଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ । କେବଳ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମେଟ୍ରୋରେ ଜଣେ ସହାୟକ ଉପସ୍ଥିତ ରହିବେ । ୩୭ କିଲୋମିଟର ଦୂରତା ବିଶିଷ୍ଟ ମ୍ୟାଜେଣ୍ଟା ଲାଇନ ଆରମ୍ଭରୁ ଚାଳକ ବିହୀନ ବୈଶିଷ୍ଟ୍ୟ ସହ ଲଞ୍ଚ କରାଯାଇଥିଲା । ଏବେ ଏହା ସମ୍ପୂର୍ଣ୍ଣ ଚାଳକ ବିହୀନ ହୋଇଛି । ଏହା ପରେ ପିଙ୍କ୍ ଲାଇନ୍ ମେଟ୍ରୋ ମଧ୍ୟ ଶୀଘ୍ର ଚାଳକ ବିହୀନ ହେବ ।

ସୋମବାର ପ୍ରଧାନମନ୍ତ୍ରୀ ମୋଦି ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ମଧ୍ୟ ଶୁଭାରମ୍ଭ କରିବେ । ଡେବିଟ୍ କାର୍ଡ ଧାରକ ଯେ କୌଣସି ବ୍ୟକ୍ତି ସେହି କାର୍ଡ ବ୍ୟବହାର କରି ମେଟ୍ରୋରେ ଯାତ୍ରା କରିପାରିବେ ‌। ଏହି ସୁବିଧା ୨୦୨୨ ସୁଦ୍ଧା ସମଗ୍ର ଦିଲ୍ଲୀ ମେଟ୍ରୋ ନେଟୱାର୍କରେ ଉପଲବ୍ଧ ହେବ । ଏହା ଦ୍ଵାରା ଗୋଟିଏ କାର୍ଡ ସହିତ ଯାତ୍ରୀମାନେ ଦେଶର ଯେକୌଣସି ସହରର ମେଟ୍ରୋରେ ଯାତ୍ରା କରିପାରିବେ।

Comments are closed.