ଆମେରିକା, ୟୁରୋପରେ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିବ ମଡର୍ଣ୍ଣା

ୱାଶିଂଟନ – ମଡର୍ଣ୍ଣା ଏହାର କୋଭିଡ୍ ଟିକାର ଆମେରିକା ଓ ୟୁରୋପରେ ଜରୁରୀ ବ୍ୟବହାର ପାଇଁ ଆବେଦନ କରିବ । ମଡର୍ଣ୍ଣା ଦ୍ୱାରା ବିକଶିତ କୋଭିଡ୍ ଟିକା କରୋନା ସଂକ୍ରମଣରୁ ଦୃଢ଼ ସୁରକ୍ଷା ପ୍ରଦାନ କରୁଛି ବୋଲି ଏକ ସଦ୍ୟ ଗବେଷଣାରୁ ସ୍ପଷ୍ଟ ହୋଇଛି । ବିଶ୍ୱରେ କରୋନା ଜନିତ ସଂକ୍ରମଣ ଓ ମୃତ୍ୟୁ ବଢି ଚାଲିଥିବା ବେଳେ ଏବେ ମଡର୍ଣ୍ଣା ଓ ଫାଇଜର ଟିକା ଉପରେ ଆମେରିକା ସହ ୟୁରୋପୀୟ ଦେଶଗୁଡିକ ଆଶା ବାନ୍ଧିଛନ୍ତି । ଟ୍ରାଏଲରେ ଏହି ଦୁଇ କମ୍ପାନୀ ଦ୍ୱାରା ବିକଶିତ ଟିକା ୯୦%ରୁ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା ।

ଆମେରିକା ଓ କିଛି ୟୁରୋପୀୟ ଦେଶ ଗୁଡିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆରମ୍ଭ ହୋଇଯାଇଛି । ଆମେରିକାରେ ଏବେ ଦୈନିକ ଦେଢ଼ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଆମେରିକାରେ ସମ୍ପ୍ରତି ଦୈନିକ ୧୪୦୦ରୁ ଊର୍ଦ୍ଧ୍ୱ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ପ୍ରାୟ ବର୍ଷକ ତଳେ ପ୍ରଥମେ ଚାଇନାରୁ ବ୍ୟାପିଥିବା ଏହି ମହାମାରୀରେ ଏଯାବତ୍ ବିଶ୍ୱବ୍ୟାପୀ ୧.୪ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଛି ।

ମଡର୍ଣ୍ଣା ଡିସେମ୍ବରରେ ଆମେରିକାରେ ସୀମିତ ମାତ୍ରାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ବ୍ରିଟେନ ସରକାର ଫାଇଜର ଓ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ପାଇଁ ପ୍ରସ୍ତୁତି କରୁଛନ୍ତି । ମଡର୍ଣ୍ଣା ନିକଟରେ ଦାବି କରିଥିଲା ଯେ, ଏହା ଦ୍ୱାରା ବିକଶିତ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ସରିଛି । ଏହାର ଟିକା କରୋନା ଭୂତାଣୁକୁ ପ୍ରତିରୋଧ କରିବାରେ ୯୪% ପ୍ରଭାବୀ ସାବ୍ୟସ୍ତ ହୋଇଛି ।

Comments are closed.