କରୋନାର ଉର୍ଦ୍ଧ୍ୱମୁହାଁ ଗତି ଜାରି, ଦିନକରେ ଆଉ ୬୨ ହଜାର ଆକ୍ରାନ୍ତ ଚିହ୍ନଟ, ୨୯୧ ମୃତ

ନୂଆଦିଲ୍ଲୀ – ଭାରତରେ ବର୍ଷ ତଳର କରୋନା ସ୍ଥିତିର ପୁନରାବୃତ୍ତି ହେଉଛି । ଦ୍ୱିତୀୟ ଲହରୀ ସଂକ୍ରମଣ ଭୟ ବଢ଼ାଉଛି । ଦେଶରେ ଏହି ମହାମାରୀର ଉର୍ଦ୍ଧ୍ୱମୁହାଁ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୬୨,୨୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ୧୬୧ ଦିନ ପରେ ସର୍ବାଧିକ । ନୂଆ ରୋଗୀଙ୍କୁ ମିଶାଇ ଭାରତରେ ମୋଟ କରୋନା ମାମଲା ୧,୧୯,୦୮,୯୧୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୨୯୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧,୬୧,୨୪୦କୁ ବୃଦ୍ଧି ପାଇଛି । ଶେଷଥର ପାଇଁ ୧୬ ଅକ୍ଟୋବର, ୨୦୨୦ରେ ଦୈନିକ ମାମଲା ୬୦ ହଜାର ଟପିଥିଲା । ଉକ୍ତ ଦିନ ଦେଶରେ ୬୨,୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଦିନକରେ ଏହି ରୋଗରୁ ୩୦,୩୮୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧,୧୨,୯୫,୦୨୩ରେ ପହଞ୍ଚିଛି । ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ୪ ଲକ୍ଷ ୫୨ ହଜାର ୬୪୭କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର ଦେଶର ୫୦% ରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଇଛି । ଏହି ରାଜ୍ୟରେ ସ୍ଥିତି ଦିନକୁ ଦିନ ବିଗାଡ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପୁଣି ରେକର୍ଡ ୩୬ ହଜାର ୯୦୨ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଏଠାରେ ଆଉ ୧୧୨ ଜଣ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ପଞ୍ଜାବ, ଗୁଜରାଟ, କର୍ଣ୍ଣାଟକ ଓ କେରଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି ।

Comments are closed.