ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ

ଚେନ୍ନାଇ: ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଷ୍ଟାଲିନଙ୍କ ସହ ତାଙ୍କ ଦଳର ୩୩ ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସବୁ କୋଭିଡ୍ ପ୍ରଟୋକୋଲ ଅନୁପାଳନ ପୂର୍ବକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ଗ୍ରହଣ ଉତ୍ସବକୁ ୩୦୦ରୁ କମ୍ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଗୁରୁବାର ଷ୍ଟାଲିନ୍ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବିଧାୟକଙ୍କ ତାଲିକା ବି ରାଜ୍ୟପାଳଙ୍କୁ ଦେଇଥିଲେ ଷ୍ଟାଲିନ୍ । ରାଜ୍ୟପାଳ ଏହି ତାଲିକାକୁ ଅନୁମୋଦନ କରିଥିଲେ । ତେବେ ଏଥିରେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧିଙ୍କ ନାମ ନଥିଲା ।
ବିଧାନସଭା ନିର୍ବାଚନରେ ଡିଏମ୍‌କେ ଓ ଏହାର ସହଯୋଗୀ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ । ୨୩୪ ଆସନ ମଧ୍ୟରୁ ଡିଏମ୍‌କେ ୧୩୩ଟି ଆସନରେ ବିଜୟୀ ହୋଇଥିଲା । ତାମିଲନାଡୁରେ ଷଷ୍ଠଥର ପାଇଁ ଡିଏମ୍‌କେର ଜଣେ ନେତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୧୯୬୭ରେ ଡିଏମ୍‌କେ ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇ ଦଳର ପ୍ରଥମ ନେତା ଭାବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ପରେ ଷ୍ଟାଲିନଙ୍କ ବାପା ଏମ୍‌.କରୁଣାନିଧି ଚାରିଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Comments are closed.