ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ଆବେଦନ

ନୂଆଦିଲ୍ଲୀ – ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ବନ୍ଦ କରିବା ପାଇଁ ମହାରାଷ୍ଟ୍ର ସରକାର ଓ ନିଜେ ଦେଶମୁଖ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ପିଟିସନ ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଗତକାଲି ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ୧୫ ଦିନ ମଧ୍ୟରେ ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ବମ୍ବେ ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଆଜି ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି ।
ପରମବୀର ସିଂହ ଅଭିଯୋଗ କରିଥିଲେ ଯେ, ଗୃହମନ୍ତ୍ରୀ ଥିବାବେଳେ ଦେଶମୁଖ କିଛି ପୋଲିସ ଅଧିକାରୀଙ୍କୁ ମୁମ୍ବାଇର ବାର୍‌, ରେଷ୍ଟୁରାଣ୍ଟ ଓ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡିକରୁ ମାସିକ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଟାର୍ଗେଟ ଦେଇଥିଲେ । ସେ ଆହୁରି ଅନେକ ସଙ୍ଗୀନ ଦୁର୍ନୀତିରେ ଲିପ୍ତ ରହିଥିଲେ ବୋଲି ପରମବୀର ସିଂହ ଅଭିଯୋଗ କରିଥିଲେ ।

Comments are closed.