ପତଞ୍ଜଳିର କରୋନା ଔଷଧ ‘କରୋନିଲ୍‌’କୁ ନେଇ ବିବାଦ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଲା ଆଇଏମ୍‌ଏ

ନୂଆଦିଲ୍ଲୀ – କରୋନା ପାଇଁ ରାମଦେବଙ୍କ ପତଞ୍ଜଳି ତରଫରୁ ନିକଟରେ ଲଞ୍ଚ୍ ହୋଇଥିବା ଔଷଧ ‘କରୋନିଲ୍‌’କୁ ନେଇ ବିବାଦ ସୃଷ୍ଟି ହୋଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହା ଏକ ଗବେଷଣା ସିଦ୍ଧ ଔଷଧ ଏବଂ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ସ୍ୱୀକୃତି ମିଳିଛି ବୋଲି ପତଞ୍ଜଳି ଦାବି କରିଥିଲା । ହେଲେ ପତଞ୍ଜଳିର ଏଭଳି ଦାବିରେ ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ଆଶ୍ଚର୍ଯ୍ୟ ପ୍ରକାଶ କରିଛି । ‘କରୋନିଲ୍‌’ କୁ ନେଇ ପତଞ୍ଜଳି ଯେଉଁ ଦାବି କରିଛି, ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛି ଆଇଏମ୍‌ଏ । ସୂଚନାଯୋଗ୍ୟ, ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତିରେ ‘କରୋନିଲ’ ଲଞ୍ଚ୍ କରାଯାଇଥିଲ । ।

‘କରୋନିଲ୍‌’କୁ ସ୍ୱୀକୃତି ଦିଆଯାଇଥିବା ଖବରକୁ ଡବ୍ଲୁଏଚ୍‌ଓ ମଧ୍ୟ ଖଣ୍ଡନ କରିଛି । କୌଣସି ପାରମ୍ପରିକ ଔଷଧକୁ ସ୍ୱୀକୃତି ଦିଆଯାଇ ନାହିଁ ବୋଲି ଡବ୍ଲୁଏଚ୍‌ଓ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଗତକାଲି ସ୍ପଷ୍ଟ କରିଥିଲା ।

ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ତରଫରୁ ଫେବୃୟାରୀ ୧୯ରେ କରୋନା ଚିକିତ୍ସା ପାଇଁ ‘କରୋନିଲ୍‌’ଟବଲେଟ୍ ଲଞ୍ଚ୍ କରାଯାଇଥିଲା । ଡବ୍ଲୁଏଚ୍‌ଓ ଗାଇଡ୍ ଲାଇନ୍ ଅନୁସାରେ ଏହି ଔଷଧକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ସ୍ୱୀକୃତି ମିଳିଛି ବୋଲି କମ୍ପାନୀ ତରଫରୁ ଦାବି କରାଯାଇଥିଲା । ତେବେ ପରେ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ଟ୍ୱିଟ୍ କରି ଏହି ଔଷଧର ସ୍ୱୀକୃତି ନେଇ ସୃଷ୍ଟ ବିବାଦ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ । ସେ କହିଥିଲେ ଯେ, ଡବ୍ଲୁଏଚ୍‌ଓ ନୁହେଁ ବରଂ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇ ତରଫରୁ କରୋନିଲ୍‌କୁ ସ୍ୱୀକୃତି ମିଳିଛି ।

କରୋନିଲ୍ ନେଇ ଏବେ ଆଇଏମ୍‌ଏର ଟାର୍ଗେଟ୍‌ରେ ରହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଏକ ଅଣବୈଜ୍ଞାନିକ, ଅପ୍ରମାଣିତ ଔଷଧକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲଞ୍ଚ୍ କରିବା କେତେ ଯୁକ୍ତିଯୁକ୍ତ ? ‘କରୋନିଲ୍‌’ର କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବେ କି ବୋଲି ଆଇଏମ୍‌ଏ ପ୍ରଶ୍ନ କରିଛି ।

Comments are closed.