ମହଙ୍ଗା ପଡିଲା ଘରକୁ ଯାଇ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଟିକା ଲଗାଇବା, ସ୍ୱାସ୍ଥ୍ୟ ଅଧିକାରୀ ନିଲମ୍ବିତ

ବେଙ୍ଗାଲୁରୁ – କର୍ଣ୍ଣାଟକର କୃଷିମନ୍ତ୍ରୀ ବିସି ପାଟିଲ ଓ ତାଙ୍କ ପତ୍ନୀଙ୍କୁ ଘରକୁ ଯାଇ ଟିକା ଲଗାଇବା ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମହଙ୍ଗା ପଡିଛି । କୋଭିଡ୍ ଟିକାକରଣ ନିୟମର ଉଲ୍ଲଂଘନ ପାଇଁ ହାବେରୀ ଜିଲ୍ଲା ଅନ୍ତର୍ଗତ ହିରିକେରୁର ତାଲୁକାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଡ୍‌ଆର୍ ମଖନ୍ଦରକୁ ନିଲମ୍ବିତ କରାଯାଇଛି ।
କର୍ଣ୍ଣାଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ଡା.କେବି ତ୍ରିଲୋକଙ୍କ ଦ୍ୱାରା ମାର୍ଚ୍ଚ ୨୬ରେ ଜାରି ଆଦେଶରେ କୁହାଯାଇଛି ଯେ, ବହୁଥର ପ୍ରଶିକ୍ଷଣ ଓ ନିର୍ଦ୍ଦେଶ ସତ୍ତ୍ୱେ ମନ୍ତ୍ରୀଙ୍କୁ ତାଙ୍କ ଘରକୁ ଯାଇ ଟିକା ଦିଆଯାଇଥିଲା । ଏହି ଘଟଣାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ନିଲମ୍ବିତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ଥାନ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମାର୍ଚ୍ଚ ୨ରେ କର୍ଣ୍ଣାଟକର କୃଷିମନ୍ତ୍ରୀ ବିସି ପାଟିଲ ଓ ତାଙ୍କ ପତ୍ନୀ ନିଜ ଘରେ କୋଭିଡ୍‌-୧୯ ଟିକା ନେଇଥିଲେ । ଏହାର ଫଟୋ ସେ ଟ୍ୱିଟରରେ ବି ସେୟାର କରିଥିଲେ । ତେବେ ନିୟମ ଉଲ୍ଲଂଘନ କରି ଟିକା ନେଇଥିବାରୁ ମନ୍ତ୍ରୀଙ୍କୁ ଚାରିଆଡୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡା.କେ.ସୁଧାକର ମଧ୍ୟ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ କୋଭିଡ୍‌-୧୯ ଟିକା କେବଳ ନିର୍ଦ୍ଧାରିତ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ଦିଆଯିବ ।

Comments are closed.