ହ୍ୱିଲ ଚେୟାରରେ ପୁଣି ପ୍ରଚାର ଅଭିଯାନ ଆରମ୍ଭ କଲେ ମମତା

କୋଲକାତା – ଆହତ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଥର ପ୍ରଚାର ଅଭିଯାନକୁ ଫେରିଛନ୍ତି । ଆଜି ତାଙ୍କୁ ହ୍ୱିଲ ଚେୟାରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ମମତା ହ୍ୱିଲ ଚେୟାରରେ କୋଲକାତାର ଗାନ୍ଧିମୂର୍ତ୍ତିରେ ପହଞ୍ଚିଥିଲେ ଏବଂ ସେଠାରୁ ହାଜରା ଯାଏଁ ରୋଡ୍ ଶୋ’ କରିଥିଲେ । ମମତା ହ୍ୱିଲ ଚେୟାରରେ ଏହି ରୋଡ୍ ଶୋ’ କରିଥିବା ବେଳେ ତାଙ୍କ ପଛରେ ହଜାର ହଜାର ସମର୍ଥକ ଥିଲେ । ମମତାଙ୍କ ଏହି ରୋଡ୍ ଶୋ’ ବେଳେ ରାସ୍ତାରେ ଅନେକ ସ୍ଥାନରେ ସିସିଟିଭ୍ ଲଗାଯାଇଥିଲା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।

ରୋଡ୍ ଶୋ’ ପୂର୍ବରୁ ମମତା ଟ୍ୱିଟ୍ କରି କହିଥିଲେ ଯେ, ଆମେ ନିର୍ଭୀକତାର ସହ ଲଢ଼ିବା ଜାରି ରଖିବୁ । ଏବେ ବି ମୋ ପାଦରେ ଯନ୍ତ୍ରଣା ହେଉଛି । କିନ୍ତୁ ମୁଁ ଲୋକଙ୍କ ଯନ୍ତ୍ରଣାକୁ ଅଧିକ ଅନୁଭବ କରୁଛି । ନିଜର ଜୀବନ ରକ୍ଷା କରିବା ପାଇଁ ଏହି ଲଢ଼େଇରେ ଆମକୁ ଅନେକ କ୍ଷତି ସହିବାକୁ ପଡଇଛି । ଆଗକୁ ମଧ୍ୟ ଆମକୁ ଅନେକ ଯନ୍ତ୍ରଣା ସହିବାକୁ ପଡିବ, କିନ୍ତୁ ଆମେ କେବେ ବି ମୁଣ୍ଡ ନୁଆଁଇବୁ ନାହିଁ ।

ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ଆହତ ହୋଇଥିଲେ । ତାଙ୍କ ପାଦରେ ଆଘାତ ଲାଗିଥିଲା । ଏଥିପାଇଁ ସେ ବିଜେପିକୁ ଦାୟୀ କରିଥିଲେ । ବିଜେପି ଷଡଯନ୍ତ୍ର କରି ତାଙ୍କ ଉପରେ ଆକ୍ରମଣ କରିଥିଲା ବୋଲି ମମତା କହିଥିଲେ । ତାଙ୍କର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିବା ସହ ଦିଦି ଡ୍ରାମା କରୁଛନ୍ତି ବୋଲି କହିଥିଲା । ତିନି ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ମମତା ଗତକାଲି ଡିସଚାର୍ଜ ହୋଇଥିଲେ ।

Comments are closed.