ଆଇଆଇଟି ମାଡ୍ରାସ୍ ପାଲଟିଲା କରୋନା ହଟ୍‌ସ୍ପଟ୍‌, ୭୧ ମାମଲା ଚିହ୍ନଟ

ଚେନ୍ନାଇ – ଦେଶର ଅନ୍ୟତମ ମର୍ଯ୍ୟାଦାଜନକ ଶିକ୍ଷା ପ୍ରତିଷ୍ଠାନ ଆଇଆଇଟି ମାଡ୍ରାସ୍ ଏବେ କରୋନା ସଂକ୍ରମଣର ହଟ୍‌ସ୍ପଟ୍ ପାଲଟି ଯାଇଛି । ଏହି ଅନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୭୧ଟି ମାମଲା ସାମ୍ନାକୁ ଆସିଲାଣି । ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଏଥିପାଇଁ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ ।

କେବଳ ଗୋଟିଏ ମେସ୍ ଚଲାଇବା ନିଷ୍ପତ୍ତି ଯୋଗୁଁ ଏଠାରେ କରୋନା ସଂକ୍ରମଣ ବ୍ୟାପୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗୋଟିଏ ମେସ୍ ଦ୍ୱାରା ସାମାଜିକ ଦୂରତା ରକ୍ଷା ହେଇପାରୁନି । ଛାତ୍ରଛାତ୍ରୀମାନେ ମଧ୍ୟ ମାସ୍କ ପିନ୍ଧୁନଥିବା ଅଭିଯୋଗ ହୋଇଛି ।

ଆଇଆଇଟି-ଏମ୍ କ୍ୟାମ୍ପସରେ ଏବେ ୭୭୪ ଛାତ୍ରଛାତ୍ରୀ ରହୁଛନ୍ତି । ଏମାନଙ୍କ ମଧ୍ୟରୁ କ୍ରିଷ୍ଣା ଓ ଯମୁନା ହଷ୍ଟେଲର ଅଧିକାଂଶ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ହୋଇଛନ୍ତି । କ୍ୟାମ୍ପସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଆଇଆଇଟି-ଏମ୍ କର୍ତ୍ତୃପକ୍ଷ ସବୁ ବିଭାଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ଯଦି କୌଣସି କର୍ମଚାରୀଙ୍କ ସାମାନ୍ୟତମ ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି ।

Comments are closed.