ଆଇପିଏଲ୍: ରାଣା, ରାହୁଲଙ୍କ ବିସ୍ଫୋରକ ଇନିଂସ, ସନରାଇଜର୍ସକୁ ହରାଇଲା ନାଇଟ୍ ରାଇଡର୍ସ

ଚେନ୍ନାଇ – ନୀତିଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲ୍‌-୧୪ର ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଅଭିଯାନ ଆରମ୍ଭ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନର ଚାଲେଞ୍ଜିଂ ସ୍କୋର କରିଥିଲା । ଦଳ ତରଫରୁ ନୀତୀଶ ରାଣା ୫୬ ବଲରୁ ୯ ଚୌକା ଓ ୪ ଛକା ବଳରେ  ୮୦ ରନର ବିସ୍ଫୋରକ ପାଳି  ଖେଳିଥିବା ବେଳେ ରାହୁଲ୍ ତ୍ରିପାଠୀ  ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନ କରିଥିଲେ । ଦିନେଶ କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଥିଲା ବେଳେ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଆନ୍ଦ୍ରେ ରସେଲଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ ।

୧୮୮ ରନର ବିଜୟଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ୫ ୱିକେଟ୍ ବିନିମୟରେ ୧୭୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ମନୀଷ ପାଣ୍ଡେ ସର୍ବାଧିକ ତଥା ଅପରାଜିତ ୬୧ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ ୫୫ ରନ୍ କରିଥିଲେ । ଅଧିନାୟକ ଡେଭିଡ ୱାର୍ଣ୍ଣର (୩) ଓ ରିଦ୍ଧିମାନ ଶାହା (୭) ଫେଲ୍ ମାରିଥିଲେ । କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ୍ ନେଇଥିବା ବେଳେ ସାକିବ ଅଲ ହସନ ଏବଂ ଅଣ୍ଡ୍ରେ ରସେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଏମ୍. ଚିଦାମ୍ବରଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆରକୁ ଭଲ ଆରମ୍ଭ ଦେଇଥିଲେ ନୀତୀଶ ରାଣା ଓ ଶୁବମନ୍ ଗିଲ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୩ ରନର ପାର୍ଟନରଶିପ୍ କରିଥିଲେ। ହେଲେ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଲେ ରଶିଦ୍ ଖାନ୍।

ଗିଲ୍ ବ୍ୟକ୍ତିଗତ ୧୫ ରନ୍ କରିଥିବା ବେଳେ ରଶିଦଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହି ସମୟରେ କେକେଆରକୁ ଆଉ ଏକ ଭାଗିଦାରୀର ଆବଶ୍ୟକ ହେଉଥିବା ବେଳେ ରାଣା ଓ ତ୍ରିପାଠୀ ଖେଳିଥିଲେ ଦମଦାର ଇନିଂସ୍। ପ୍ରଥମେ ରାଣା ୩୭ ବଲରେ ଏବଂ ପରେ ତ୍ରିପାଠୀ ମାତ୍ର ୨୭ ବଲରେ ଅର୍ଦ୍ଧଶତକ ମାରି କେକେଆରକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ି ଭାଙ୍ଗିବା ପରେ ଦଳର ୨୦୦ ସ୍କୋର ଆଶା ମଉଳି ଯାଇଥିଲା।

ଟିମର ସ୍କୋର ୧୫.୨ ଓଭରରେ ୧୪୬ ରନରେ ଥିବା ବେଳେ ତ୍ରିପାଠୀଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଟି. ନଟରାଜନ୍। ଆଉଟ୍ ହେବା ପୂର୍ବରୁ ତ୍ରିପାଠୀ ରାଣାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ ପାଇଁ ୯୩ ରନ ଯୋଡ଼ିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆନ୍ଦ୍ରେ ରସେଲ୍ (୫)ଙ୍କୁ ଆଉଟ୍ କରିଥିଲେ ରଶିଦ୍। ଏହା ପରେ ମହମ୍ମଦ ନବି ଲଗାତର ଦୁଇଟି ବଲରେ ନୀତୀଶ ରାଣା ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୨)ଙ୍କୁ ଆଉଟ୍ କରି କେକେଆରକୁ ବଡ଼ ସ୍କୋରରୁ ରୋକିଥିଲେ। ଶେଷ ଦୁଇ ଓଭରରେ କେକେଆର୍ ୨୫ ରନ୍ ସଂଗ୍ରହ କରି ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା।

Comments are closed.