ଆଗାମୀ ଭବିଷ୍ୟତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ନିର୍ଭର କରେ

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ଓ ଟେକ୍‌ନୋଲୋଜି ( ସିଇଟି ) କ୍ୟାମ୍ପସ୍ ପରିସରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଯୁବ ଗ୍ରାଜୁଏଟମାନଙ୍କୁ ତାଲିମ ଦେବା ପାଇଁ ଗତବର୍ଷ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଆଜି ଏହି କେନ୍ଦ୍ରରୁ ୧୦ ଜଣ ଯୁବ ଇଂଜିନିୟର କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ୩୦ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମର ସୁଯୋଗ ପାଇପାରିବେ । ଏହି ଲ୍ୟାବ୍ ସରକାରୀ ସଂସ୍ଥା , ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ସହାୟତା କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରଥମ ବ୍ୟାଚ୍ ଇଟସ୍ ସିଇଟି ଭୁବନେଶ୍ୱରରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ଵତନ୍ତ୍ର ଅଟେ । ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ , ମେସିନ୍ ଲଣ୍ଠି ପ୍ରଶିକ୍ଷଣ ପାଇ ଶିଳ୍ପ ସଂସ୍ଥାରେ ନିଜର ପ୍ରତିଭା ବିକଶିତ କରିପାରିବେ ।

ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବିକାଶ , ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ରାଜ୍ୟ ସରକାର , ଓଏସ୍‌ଡିଏ , ସିଇଟି ଏବଂ ବିପିୟୁଟିର ସହଯୋଗ ଯୋଗୁଁ ଆଜି ରାଜ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ହୋଇପାରିଛି । ଏହା ରାଜ୍ୟ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ । ଆଗାମୀ ଭବିଷ୍ୟତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ନିର୍ଭର କରୁଛି । ଏବେ ପ୍ରତ୍ୟେକ କ୍ଷେତ୍ରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି । ଏହି ଉତ୍କର୍ଷ କେନ୍ଦ୍ର ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପସଂସ୍ଥା ମଧ୍ୟରେ ଥିବା ଦୂରତ୍ବ ହ୍ରାସ କରିବାରେ ସହାୟକ ହେବା ସହ ଜଟିଳ ସମସ୍ୟାର ସମାଧାନକୁ ସହଜ କରିପାରିବ । ଆଗାମୀ ଦିନରେ ରାଜ୍ୟରେ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ଆବଶ୍ୟକୀୟ ଭିଭିଭୂମି ସହ ଜମି ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସିଂ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିଇଟି ଅଧ୍ୟକ୍ଷ ପି.କେ. ପାତ୍ର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଯେ ଶିଳ୍ପ ସଂସ୍ଥା ଓ ଶ୍ରମ ବଜାରରେ ହେଉଥିବା ପରିବର୍ତ୍ତନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇପାରିବ । ଏହି ଅବସରରେ ବିହାର ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଲୋକେଶ କୁମାର ସିଂ , ବିପିୟୁଟିର ଭାଇସ୍‌ ଚାନ୍‌ସେଲର ଡ . ସି.ଆର୍ . ତ୍ରିପାଠୀ , ସିଇଟିର ପ୍ରଫେସର ଅଶୋକ ଦାସ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଯୁଗ୍ନ ସଚିବ ଡ . ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.