ଆଜିଠୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ – ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି । ବଜେଟ୍ ଅନୁଦାନ ଏବଂ ଅର୍ଥ ବିଲ୍ ଉପରେ ଆଲୋଚନା ଏବଂ ଏଗୁଡିକୁ ପାରିତ କରିବା ଏହି ପର୍ଯ୍ୟାୟରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ହେବ ।

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପରି ଏକ ସମୟରେ ଆରମ୍ଭ ହୋଇଛି, ଯେତେବଳେ କି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣ କରାଯାଇଛି ଏବଂ ଏହି ସବୁ ରାଜ୍ୟ ଗୁଡିକରେ ପ୍ରଚାର ଅଭିଯାନ ଜୋର୍ ଧରିଛି । ଏହାର ପ୍ରଭାବ ବି ସଂସଦର ଏହି ଅଧିବେଶନରେ ଅନୁଭୂତ ହେବ । ସବୁ ଦଳ ସଂସଦର ଏହି ଅଧିବେଶନକୁ ନିଜର ନିର୍ବାଚନୀ ଅଭିଯାନର ମଞ୍ଚ ଭାବେ ବ୍ୟବହାର କରିପାରନ୍ତି । କଂଗ୍ରେସ୍ ଓ ଅନ୍ୟ ଦଳମାନେ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଛନ୍ତି । ବିଶେଷକରି ଦରଦାମ୍ ବୃଦ୍ଧି ନେଇ ସରକାରଙ୍କୁ ଆକ୍ରମଣ କରିପାରନ୍ତି ବିରୋଧୀ । ତା’ଛଡ଼ା କୃଷି ଆଇନ ବିରୋଧରେ ୧୦୦ରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ନେଇ ମଧ୍ୟ ମୁଖ୍ୟ ପ୍ରସଙ୍ଗ ହେବ ।

ପେଟ୍ରୋଲ, ଡିଜେଲ ସହ ଏଲ୍‌ପିଜିର ଦର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ବିରୋଧୀ ଦଳ ସରକାର ବିରୋଧରେ ମୁଖ୍ୟ ଅସ୍ତ୍ର କରିବେ । ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି । ଏନେଇ ମଧ୍ୟ ସରକାର ପ୍ରଶ୍ନବାଣର ସମ୍ମୁଖୀନ ହୋଇପାରନ୍ତି । ସେହିପରି ନିକଟରେ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ନୂଆ ନିୟମ ନେଇ ମଧ୍ୟ ସରକାରଙ୍କୁ ଘେରିବାକୁ ସଙ୍କେତ ଦେଇଛନ୍ତି ବିରୋଧୀ ଦଳ ।

Comments are closed.