ଆଜି ବିଡେନଙ୍କ ଶପଥ ଗ୍ରହଣ, ୱାଶିଂଟନରେ କଡ଼ା ସୁରକ୍ଷା ବ୍ୟବସ୍ଥା

ୱାଶିଂଟନ – ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବିଡେନ୍ ଆଜି ଶପଥ ନେବେ । ବିଡେନଙ୍କ ସହ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ମଧ୍ୟ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମ କ୍ୟାପିଟଲ ହିଲ ତଥା ଆମେରିକା ସଂସଦ ପରିସରରେ ସ୍ଥାନୀୟ ସମୟ ଦିନ ୧୨ଟାରେ ଅନୁଷ୍ଠିତ ହେବ ।କରୋନା ଦୃଷ୍ଟିରୁ ଏଥର ଶପଥ ଗ୍ରହଣ ଉତ୍ସବ ନିରାଡମ୍ବର ଭାବେ ହେବ । ଏହି କାର୍ଯ୍ୟକ୍ରମରେ ଭିଡ଼ କମାଇବା ପାଇଁ ବ୍ୟବସ୍ଥା କରାଯାଇଛି । କେବଳ ୧୨୦୦ ଲୋକ ହିଁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରିବେ । ସମସ୍ତଙ୍କୁ କୋଭିଡ୍ ପ୍ରୋଟୋକୋଲ ମାନିବାକୁ ପଡିବ । ଚଳିତ ମାସ ପ୍ରଥମ ସପ୍ତାହରେ କ୍ୟାପିଟଲ ବିଲ୍ଡିଂରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହଙ୍ଗାମା ଦୃଷ୍ଟିରୁ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ୱାଶିଂଟନ ଡିସିରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଡେନଙ୍କ ବିଜୟରେ ମୋହର ଲଗାଇବା ପାଇଁ ସଂସଦର ମିଳିତ ଅଧିବେଶନ ଚାଲିଥିବା ସମୟରେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ସଂସଦ ଭବନ ପରିସରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ରୋକିବା ଲାଗି ସୁରକ୍ଷାକର୍ମୀ ଓ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନରେ ଜଣେ ମହିଳା ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା ।

Comments are closed.