‘ଆଣ୍ଟିଲିଆ’ ଘଟଣାରେ ବ୍ୟବହୃତ ଇନୋଭା କାର୍ ଜବତ

ମୁମ୍ବାଇ – ମୁକେଶ ଅମ୍ବାନିଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ଗାଡ଼ି ମିଳିବା ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ଏକ ଧଳା ଇନୋଭା କାର୍‌କୁ ଜବତ କରିଛି । ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ଗାଡ଼ି ପଛେ ପଛେ ଜବତ ଇନୋଭା କାର୍ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା । ସ୍କୋର୍ପିଓକୁ ଆଣ୍ଟିଲିଆ ପାଖରେ ଠିଆ କରାଇଥିବା ବ୍ୟକ୍ତି ଉକ୍ତ ଇନୋଭା କାରରେ ସେଠାରୁ ଚମ୍ପଟ ମାରିଥିଲା ବୋଲି ସିସିଟିଭି ଫୁଟେଜ୍‌ରେ ଜଣାପଡିଥିଲା ।

ପୋଲିସ୍ ସୂଚନା ଅନୁସାରେ ଜବତ ଇନୋଭା କାର୍‌ର ରେଜିଷ୍ଟ୍ରେସନ ନମ୍ବର ହେଉଛି ‘ଏମ୍‌ଏଚ୍‌୦୧ଜେଡ୍‌ଏ୪୦୩’ । ଏହାର ପଛପଟେ ‘ପୋଲିସ୍‌’ ଲେଖା ଯାଇଛି । ଏହି ଘଟଣାର ଅଭିଯୁକ୍ତ ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେ ଏହି ଇନୋଭା କାର୍ ବ୍ୟବହାର କରୁଥିଲେ ବୋଲି କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଜେକୁ ଏନ୍‌ଆଇଏ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।

ଫେବୃୟାରୀ ୨୫ରେ ଦକ୍ଷିଣ ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନିଙ୍କ ଘର ‘ଆଣ୍ଟିଲିଆ’ ପାଖରୁ ବିସ୍ଫୋରକ ଭର୍ତ୍ତି ଏକ ସ୍କୋର୍ପିଓ ସନ୍ଦେହ ଜନକ ଭାବେ ଠିଆ ହୋଇଥିଲା । ଉକ୍ତ କାରରୁ ୬ଟି ଜିଲେଟିନ୍ ଷ୍ଟିକ୍ ଏବଂ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଜବତ ସ୍କୋର୍ପିଓ ର ମାଲିକ ଥିଲେ ମନସୁଖ ହିରେନ୍ । ତେବେ ମାର୍ଚ୍ଚ ୫ରେ ହିରେନଙ୍କ ମୃତଦେହ ଥାନେର ଏକ ହ୍ରଦ ମୁହାଣରୁ ମିଳିବା ପରେ ଘଟଣାରେ ନୂଆ ମୋଡ଼ ଆସିଥିଲା । ହିରେନଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ପୋଲିସ ଅଫିସର ବାଜେଙ୍କୁ ଦାୟୀ କରି ତାଙ୍କ ନାମରେ ଏତଲା ଦେଇଥିଲେ ।

Comments are closed.