ଆଦିବାସୀ ମେଳାର ତୃତୀୟ ସନ୍ଧ୍ୟା: ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ କ୍ରୟ ପାଇଁ ବ୍ୟଗ୍ରତା

ଭୁବନେଶ୍ୱର: ସ୍ଵାଧୀନତା ପ୍ରାପ୍ତି ପରେ ଆଦିବାସୀ ବର୍ଗଙ୍କୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସରକାରଙ୍କ ସମସ୍ତ ଉଦ୍ୟମର ପ୍ରତିଫଳନ ଘଟିଛି ଏକ ନମ୍ବର ୟୁନିଟ୍ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ସାମଗ୍ରିକ ଭାବରେ ଆଦିବାସୀ ମାନଙ୍କର ସାମାଜିକ , ଅର୍ଥନୈତିକ ଓ ବାଣିଜ୍ୟକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ଷ୍ଟଲ ଗୁଡିକରେ ଦେଖୁବାକୁ ମିଳୁଛି ।

ବିଭିନ୍ନ ଜନଜାତି ବର୍ଗ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଗୁଡିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି । ସହରାଂଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀ ମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି ।

ଏହାଛଡ଼ା ଆଦିବାସୀ ସମାଜ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବିଶୁଦ୍ଧ ଓ ତାହାର ଜୈବିକ ଗୁଣ ଏଯାବତ୍ ଅକ୍ଷୁର୍ଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି , ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍ ଅନୁମାନ କରି ହେଉଛି ।

କରୋନା କଟକଣା ବଳବତର ରହିଥିବା ସତ୍ତ୍ୱେ ଅପରାହ୍ନରେ ମେଳା ପରିସରକୁ ବହୁ ଲୋକ ନିଜ ପରିବାର ସଙ୍ଗେ ଆସି ଆଗ୍ରହ ଓ ଉତ୍ସାହର ସହ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ କ୍ରୟ କରୁଛନ୍ତି ।

କେତେକ ଷ୍ଟଲରେ ଆଦିବାସୀ ମହିଳାମାନେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ନିଜ ହାତରେ ପ୍ରସ୍ତୁତ କରୁଥିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହେଉଛି । ଗୃହିଣୀ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା କେତୋଟି ଷ୍ଟଲରେ ଅପେକ୍ଷାକୃତ ଗହଳି ଦେଖୁବାକୁ ମିଳୁଛି , ଯଦିଓ କରୋନା ଯୋଗୁଁ ସାମାଜିକ ଦୂରତା ରକ୍ଷାକୁ ଖୁବ୍ କଡ଼ାକଡ଼ି କରାଯାଇଛି ।

ଆଜି ତୃତୀୟ ସନ୍ଧ୍ୟାରେ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା – ବାସୁମତୀ ଚାଉଳ , ମୁଗ , ବିରି , ମାଣ୍ଡିଆ , ପାଳୁଅ , ରାଶି ଆଦି କିଣିବାକୁ ଗୃହିଣୀ ମାନଙ୍କର ଆଗ୍ରହ ଦେଖବାକୁ ମିଳିଥିଲା । ସେହିପରି ମହୁ , ଲାଖ , ଝୁଣା , ହରିଡା , ବାହାଡା ଓ ଅଁଳା ଭଳି ଲଘୁ ବନଜାତ ସାମଗ୍ରୀ ବିକ୍ରି ହେଉଥିବା ଷ୍ଟଲଗୁଡିକ ବୁଲିବାକୁ ଅନେକ ପରିବାର ଆଗ୍ରହ ଦେଖାଇଥିଲେ ।

କେତେକ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି , ପାମ୍ପଡ଼ , ହଳଦୀଗୁଣ୍ଡ , ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ବ୍ୟଗ୍ରତା କିଛି କମ୍ ନ ଥିଲା । କେତେକ ମହିଳା ହାତରେ ଫୁଲଝାଡୁ ଓ ହଳଦୀଗୁଣ୍ଡ ପ୍ୟାକେଟ୍ ଧରି ମେଳା ପରିସରରୁ ଫେରୁଥିବାର ଦେଖାଯାଇଥିଲା ।

Comments are closed.