ଆଦିବାସୀ ମେଳା : ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜନଜାତି ମହିଳାଙ୍କ ସଶକ୍ତିକରଣ

ଭୁବନେଶ୍ବର: ଜନଜାତି ସମାଜରେ ନାରୀର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଘର , ପରିବାର ତଥା ଗାଁ ଓ ସମାଜକୁ ସଂଗଠିତ କରିବାରେ ଏମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ଜଣେ ନୀରବ ଯୋଦ୍ଧା ହିସାବରେ ଜନଜାତି ମହିଳା ହିଁ ବସ୍ତୁତଃ ପରିବାରର ସବୁକିଛି ଘରର ଯାବତୀୟ କାର୍ଯ୍ୟ ଛଡା କୃଷି କର୍ମରେ , ବନଜାତ ଦ୍ରବ୍ୟ ସଂଗ୍ରହରେ , ହାଟ ବଜାରରେ , ପିଲା , କୁଟୁମ୍ବ , ସ୍ବାମୀକୁ ସମ୍ଭାଳିବାରେ ସେ ଅହର୍ନିଶି କର୍ମଚଂଚଳା । ମୂଳତଃ ସେହିଁ ଅର୍ଥନୀତିର ମୂଳ ଧାର ଏହି ସାମାଜିକ ତତ୍ବକୁ ଆଧାର ହିସାବରେ ଗ୍ରହଣ କରି , ଜନଜାତି ସମାଜରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପରିକଳ୍ପନା ଏବଂ ସେମାନଙ୍କୁ ସଶକ୍ତିକରଣରେ ଜନଜାତି ଅର୍ଥନୀତି ସ୍ବଚ୍ଛଳ ହେବା ନିଶ୍ଚିତ ଜାଣି ବିକାଶ କାର୍ଯ୍ୟକ୍ରମରେ ମହିଳା ସ୍ଵୟ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ବିଭିନ୍ନ ବିଷୟରେ ସଚେତନତା କରାଯାଉଛି ଅନେକ ଆର୍ଥିକ କାର୍ଯ୍ୟକ୍ରମରେ ସେମାନଙ୍କ ଭାଗୀଦାରୀକୁ ପ୍ରମୁଖତାର ସହ ବିଚାରକୁ ନେଇ ବଜାର ସହ ଯୋଡ଼ାଯାଇଛି । ଫଳତଃ ଏକ ତୀରରେ ଏକାଧିକ ଶୀକାର ରୂପ ନାରୀ ମାନଙ୍କ ମଧ୍ୟରେ ଅର୍ଥନୈତିକ କାରବାର ବଢ଼ିବା ସାଙ୍ଗକୁ ମହିଳା ସାକ୍ଷରତା ହାର ବଢ଼ିଛି ନାରୀ ଶିକ୍ଷାରେ ଯୁଗାନ୍ତକାରୀ ପରିବର୍ତନ ଆସିଛି । ଯୁଗ ଯୁଗ ଧରି ଜନଜାତି ମହିଳାଙ୍କୁ ଆନୁଷ୍ଠାନିକ ଶିକ୍ଷାରୁ ଦୂରେଇ ରଖିବାର ଯେଉଁ ସାମାଜିକ ଶୃଙ୍ଖଳ ଥିଲା ତାହା ଫିଟିବାରେ ଲାଗିଛି ଏବଂ ପରିବାର ଓ ଗୋଷ୍ଠୀ ଅର୍ଥନୀତି ସହ ମହିଳାମାନେ ସ୍ବତଃ ଯୋଡି ହେବାର ରାସ୍ତା ସଫା ହୋଇଛି ।

ଆଦିବାସୀ ମେଳା ଏହି ଜନଜାତି ସୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଗର୍ବିତ । ୨୦୧୦ ମସିହାରୁ ଆଦିବାସ ମେଳା ହାଟର ପ୍ରଭାଗରେ କେବଳ ଜନଜାତି ସୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିପଣନ ଦାୟୀତ୍ବ ଦିଆଯିବା ପରଠୁଁ ପ୍ରତ୍ୟେକ ବର୍ଷ ଏମାନଙ୍କ ଭାଗିଦାରିତା ବଢ଼ିଛି । ପ୍ରଥମେ ପ୍ରଥମେ ଏମାନେ ହିସାବ କିତାବ ସହ କିଛିଟା ଅନଭିଜ୍ଞ ଥିଲେ । ମେଳାରେ ବିକ୍ରୟ ହେଉଥିବା ଦ୍ରବ୍ୟରୁ ପ୍ରାପ୍ତ ଟଙ୍କା ହିସାବ କରିବା ପାଇଁ ମେଳାରେ ନିୟୋଜିତ କର୍ମକର୍ତ୍ତାଙ୍କ ସହାୟତା ଲୋଡୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ଆଜି ସ୍ବାବଲମ୍ବୀ ହୋଇପାରିଛନ୍ତି ନିଜେ ହିସାବ ସଠିକ୍ ଭାବରେ ରଖି ବ୍ୟାଙ୍କ କାରବାର ସହ ସଂପୃକ୍ତି ବଢ଼ାଇଛନ୍ତି ।

ବଳିତ ବର୍ଷ ଆଦିବାସୀ ମେଳା , ହାଇବ୍ରିଡ଼ ଢାଂଚାରେ ହେଉଥିବାରୁ ସ୍ବୟଂସହାୟକ ମହିଳା ଗୋଷ୍ଠୀର ଭୂମିକା ଆହୁରି ବଢ଼ିଯାଇଛି ଉଭୟ ଅନଲାଇନ୍ ଏବଂ ବାସ୍ତବ ଦୃଷ୍ଟିରୁ ମେଳା ହେଉଥିବାରୁ ପ୍ରଥମତଃ Online Marketing ବିଷୟରେ ଏମାନେ ଧାରଣା ପାଇଛନ୍ତି ଏବଂ ଅନଲାଇନ୍ ଜିନିଷପତ୍ର ପଠାଇବାର ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି । ଏହା ଦ୍ବାରା ସେମାନେ ନିଜ ଘରୁ , ଗାଁରୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ବ୍ୟବସାୟ କରିପାରିବେ ବୋଲି ସୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଆଶାବାଦୀ । ଦ୍ବିତୀୟତଃ Digital Mode ( PayTM ) ରେ କିଣାବିକା ହେଉଥିବାରୁ ପାଖରେ ଟଙ୍କା ରଖି ଚୋରୀ ଭୟରୁ ମୁକ୍ତି ପାଉଛନ୍ତି ଯାହା ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଏକ ଉତମ ବ୍ୟବସ୍ଥା ବୋଲି ଜୟମା ପଥରାଜ ସ୍ବୟଂ ସହାୟକ ଗୋଷ୍ଠୀ , ବାଇରିପଡ଼ା , ଲମତାପୁଟର ସଦସ୍ୟା କୁମାରୀ ଭଗବତୀ ମୁଦୁଲି ଉତ୍ତର ଦେଇଥିଲେ । ଗୋଷ୍ଠୀର ସଦସ୍ୟା ହିସାଦରେ ଆଜିକୁ ପାଂଚବର୍ଷ ହେଲା ଭଗବତୀ ମୁଦୁଲି ଆଦିବାସୀ ମେଳାକୁ ଆସୁଛନ୍ତି । ପ୍ରଥମେ ପ୍ରଥମେ ତାଙ୍କୁ ଅଡ଼ୁଆ ଲାଗୁଥିଲା । ପ୍ରଥମତଃ ଭାଷା ସମସ୍ୟା ଥିଲା ଦେଶିଆ ଭାଷାରେ କହିଲା ବେଳକୁ ଗରାଖମାନଙ୍କୁ ଟିକିଏ ଅସୁବିଧା ହେଉଥିଲା । ମାତ୍ର ଏବେ ସେ ସମସ୍ୟା ନାହିଁ । ଦେଶିଆ ଭାଷାରେ କହିଲେ ମଧ୍ୟ ଆମ ଉତ୍ପାଦିତ ଦ୍ରବ୍ୟର ନାଁ ଓଡ଼ିଆରେ ଆମେ ମଧ୍ୟ ବୁଝାଇ ଦେଉଛୁ । ଗରାଖମାନେ ଶ୍ରଦ୍ଧାରେ ଜିନିଷ କିଣୁଛନ୍ତି । ଆମ ଉତ୍ପାଦିତ ଜିନିଷର ଏତେ ଚାହିଦା ଥିବାରୁ ଆମକୁ ଖୁସି ଲାଗୁଛି ବୋଲି ଶ୍ରୀମତୀ ମୁଦୁଲି ଦୃଢୋକ୍ତି ବାଢ଼ିଛନ୍ତି । କଟକଣା ଯୋଗୁଁ ଗ୍ରାହକ ସଂଖ୍ୟା କମିଛି , ତେବେ ଆଗାମୀ ଦିନରେ ପରିଦର୍ଶକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ଥିବାରୁ ତାଙ୍କ ଜିନିଷର ବିକ୍ରିବଟା ମଧ୍ୟ ବଢ଼ିବ ବୋଲି ସେ ଆଶାବାଦୀ । ସେହିପରି ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ ଯୋଗଦାନ କରିଥିବା ଗାଁ ମାଉଳି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରତୀମା ନାୟକଙ୍କ ସହ ଆଳାପ ସମୟରେ ସେ ତାଙ୍କ ବଣ୍ଡା ଅଂଚଳରେ ଉତ୍ପାଦିତ ଡଙ୍ଗରାଣୀ , ରୁମାକ୍ (ବିରି ) , ବୁଟାସେମି (ରାଜମା ) , ମୁଗ, ମରିଚି ର ଉପରେ ତାଙ୍କ ମତ ରଖି ଭଲ ବିକ୍ରୟ ହେଉଥିବାର ସୂଚନା ଦେଇଥିଲେ ଆଦିବାସୀ ମେଳାରେ ବିକ୍ରିବଟାର ଉତ୍ତମ ବଜାର ରହିଛି ଏବଂ ଏହାର ଚାହିଦାକୁ ନେଇ ବଣ୍ଡା ଘାଟିରେ ସଂପ୍ରତି ବିଭିନ୍ନ ଶସ୍ୟ ଉତ୍ପାଦନ ପାଇଁ ସେମାନେ ବିଗତ ୫ / ୬ ବର୍ଷ ହେଲା ପଦକ୍ଷେପ ନେଇଛନ୍ତି ଯାହା ଅନେକ ବଣ୍ଡା ପରିବାର ସଫଳ ହୋଇଛନ୍ତି । ଆମର ଉତ୍ପାଦନ ବଢ଼ିଲେ ସିନା ବିକ୍ରି କରି ଦି ପଇସା ପାଇବା ତେଣୁ କୃଷି କ୍ଷେତ୍ରକୁ ମୌସୁମୀ ଋତୁରେ ବିଶେଷ ଧ୍ୟାନ ଦେଉଛୁ ବୋଲି ପ୍ରତୀମା ସୂଚନା ଦେଇଥିଲେ ।

Comments are closed.