ଆମେରିକାରେ ଆରମ୍ଭ ହେଲା ଟିକାକରଣ, ଟ୍ୱିଟ୍ କରି ସୂଚନା ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ – କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଫାଇଜର ଓ ବାୟୋଏନଟେକ୍ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ନ୍ୟୁୟର୍କର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ସାଣ୍ଡ୍ରା ଲିଣ୍ଡ୍‌ସେ । ଆମେରିକାର ସବୁ ଟିଭି ଚ୍ୟାନେଲରେ ଏହି ପ୍ରତୀକ୍ଷିତ ମୁହୂର୍ତ୍ତର ସିଧା ପ୍ରସାରଣ ହୋଇଥିଲା । ଲିଣ୍ଡ୍‌ସେଙ୍କୁ ଟିକା ଦିଆଯିବାର କିଛି ମିନିଟ୍ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ୱିଟ୍ କରି ଦେଶରେ ଟିକାକରଣର ଶୁଭାରମ୍ଭ ହୋଇଥିବା ସୂଚନା ଦେଇଥିଲେ । ଏଥିସହ ସେ ଆମେରିକା ଓ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଥମ ପର୍ଯ୍ୟାୟରେ ଟିକାକରଣ କାର୍ଯ୍ୟକ୍ରମ ଆମେରିକାର କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଆରମ୍ଭ ହୋଇଛି । ନିକଟରେ ଆମେରିକାର ଡ୍ରଗ୍ସ ନିୟାମକ ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲା । ଟ୍ରାଏଲରେ ଫାଇଜର-ବାୟୋଏନଟେକର ଟିକା କରୋନା ସଂକ୍ରମଣ ରୋକିବାରେ ୯୫% ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ପ୍ରଥମ ଦେଶ ଭାବେ ବ୍ରିଟେନ୍ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ପରେ ବାହାରେନ୍‌, ସାଉଦି ଆରବ ଓ କାନାଡା ଓ ଆମେରିକା ମଧ୍ୟ ଫାଇଜର ଟିକାକୁ ସବୁଜ ସଙ୍କେତ ପ୍ରଦାନ କରିଥିଲେ ।

ଆମେରିକାରେ କରୋନା ସଂକ୍ରମଣର ପ୍ରକୋପ ଥମିନାହିଁ । ସୋମବାର ସୁଦ୍ଧା ଏହି ଦେଶରେ ୧୬,୨୮୬,୩୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଏହି ମହାମାରୀ ୨୯୯,୪୮୯ ଲୋକଙ୍କ ପ୍ରାଣ ନେଇଛି । ତେବେ ଟିକାକରଣ ଆରମ୍ଭ ହେବା ପରେ ଏହି ଘାତକ ରୋଗରୁ ନିସ୍ତାର ମିଳିବା ନେଇ ଆମେରିକାବାସୀ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.