ଆରଜେଡିର ବାହୁବଳୀ ନେତା ମହମ୍ମଦ ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନଙ୍କ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ।

ତିହାର ଜେଲର ଡିଜି କହିଛନ୍ତି ଯେ ମହମ୍ମଦ ଶାହାବୁଦ୍ଦିନ କୋଭିଡ୍ ରେ ସଂକ୍ରମିତ ହେବା ପରେ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଦିଲ୍ଲୀ ହାଇକୋର୍ଟ ବୁଧବାର ଆମ୍ ଆଦମୀ ପାର୍ଟି ସରକାର ଏବଂ ଜେଲ ପ୍ରଶାସନକୁ ଶାହାବୁଦ୍ଦିନଙ୍କ ସଠିକ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିହାର ବିଧାନସଭାରେ ଆରଜେଡି ନେତା ତଥା ବିରୋଧୀଦଳର ନେତା ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଶାହାବୁଦ୍ଦିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

୨୦୦୪ରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଶାହାବୁଦ୍ଦିନ ତିହାର ଜେଲ୍ ରେ ଆଜୀବନ ସଜା କାଟୁଥିଲେ । ତିହାର ଜେଲର ଡିଜି ସନ୍ଦୀପ ଗୋୟଲଙ୍କ ଅନୁଯାୟୀ ଶାହାବୁଦ୍ଦିନ ଏପ୍ରିଲ ୨୦ରେ କରୋନା ସଂକ୍ରମିତ ହୋଇଥିବା ଜଣାଜଣାପଡିଥିଲା। ପରେ ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜେଲରେ ୨୨୭ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି ବୋଲି ଏପ୍ରଲ ୨୩ରେ ତିହାର ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ନିକଟରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ପୂର୍ବତନ ଜେଏନୟୁ ଛାତ୍ରନେତା ଓମାର ଖାଲିଦ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଉଭୟ ତିହାର ଜେଲରେ ଅଛନ୍ତି ।

ତିହାରରେ ବର୍ତ୍ତମାନ ପ୍ରାୟ ୨୦ ହଜାର କଏଦୀ ଅଛନ୍ତି। କରୋନା ସଂକ୍ରମଣ ଦୃଷ୍ଟିରୁ ନିକଟରେ ଜେଲ ପ୍ରଶାସନ କଏଦୀମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ବାରଣ କରିଥିଲେ ।

Comments are closed.