ଆଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ନିଖୋଜ

ବେଜିଂ – ବିଶ୍ବର ୨୫ ତମ ଧନୀ ବ୍ୟକ୍ତି ତଥା ଆଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ଗତ ଦୁଇ ମାସ ହେବ ନିଖୋଜ ଅଛନ୍ତି। ଅକ୍ଟୋବରରେ ସାଂଘାଇରେ ଏକ ଭାଷଣରେ ଚୀନ୍‌ର ‘ସୁଧ ଖୋର’ ଆର୍ଥିକ ନିୟାମକ ତଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଜ୍ୟାକ୍ ମା ତୀବ୍ର ସମାଲୋଚନା କରିଥିଲେ। ଏହା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ବିବାଦ ମଧ୍ୟ ହୋଇଥିଲା। ଗତ ଦୁଇ ମାସ ଧରି ଜ୍ୟାକ୍ ମାଙ୍କ ପତ୍ତା ନ ମିଳିବା କେବଳ ଚୀନରେ ନୁହେଁ ବରଂ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଆଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ହେଉଛନ୍ତି ବିଶ୍ବର ୨୫ତମ ଏବଂ ଏସିଆର ନମ୍ବର ଓ୍ବାନ୍ ଧନୀ ବ୍ୟକ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୦.୬ ବିଲିୟନ ଡ଼ଲାର୍ । ଜ୍ୟାକ୍ ମାଙ୍କ ଆଲିବାବା ଗ୍ରୁପ୍ ହେଉଛି ଚାଇନାର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ।

ବ୍ୟବସାୟରେ ନୂତନତ୍ବ ଆଣିବା ପାଇଁ ପ୍ରୟାସକୁ ଯେଭଳି ଦମନ ନ କରାଯାଏ, ସେନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଜ୍ୟାକ୍ ମା ଚୀନ୍ ସରକାରଙ୍କୁ ନିବେଦନ କରିଥିଲେ । ସେ ଗ୍ଲୋବାଲ ବ୍ୟାଙ୍କିଙ୍ଗ ନିୟମକୁ ‘ବୟସ୍କ ଲୋକଙ୍କ କ୍ଲବ’ ବୋଲି ଅଭିହିତ କରି ସମାଲୋଚନା କରିଥିଲେ ।

ତାଙ୍କର ଏହି ଭାଷଣ ପରେ ଚୀନର ଶାସକ କମ୍ୟୁନିଷ୍ଟ ଦଳ ଜ୍ୟାକ୍ ମାଙ୍କ ଉପରେ କ୍ଷୁବ୍ଧ ହୋଇଥିଲା । ଜ୍ୟାକ୍ ମା’ଙ୍କ ସମାଲୋଚନାକୁ କମ୍ୟୁନିଷ୍ଟ ପାର୍ଟି ଉପରେ ଆକ୍ରମଣ ଭାବେ ନିଆଯାଇଥିଲା।

ନଭେମ୍ବର ୨୦୨୦ରେ ଚୀନ୍ କର୍ତ୍ତୃପକ୍ଷ ତାଙ୍କ ‘ଆଣ୍ଟ୍ ଗ୍ରୁପ’ର ୩୭ ବିଲିୟନ ଡଲାରର ଆଇପିଓକୁ ସସପେଣ୍ଡ କରି ଜ୍ୟାକ୍ ମାଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏଭଳି କରାଯାଇଥିଲା। ଆଲିବାବା ଗ୍ରୁପ୍ ବିରୋଧରେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଚୀନ୍ ନ ଛାଡି ଯିବାକୁ ଜ୍ୟାକ୍ ମାଙ୍କୁ କୁହାଯାଇଥିଲା।

Comments are closed.