ଆସନ୍ତାକାଲି ‘ଭାରତ ବନ୍ଦ’, ପ୍ରଭାବିତ ହେବ ଜରୁରୀ ସେବା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ – କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି । ସକାଳ ୮ରୁ ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଏଥିଯୋଗୁଁ ବହୁ ଜରୁରୀ ସେବା ପ୍ରଭାବିତ ହେବା ସମ୍ଭାବନା ରହିଛି, ଯଦିଓ ଚାଷୀମାନେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି କହିଛନ୍ତି । ବନ୍ଦର ପ୍ରଭାବ ଉତ୍ତର ଭାରତରେ ଅଧିକ ରହିବ ବୋଲି ମନେ କରାଯାଉଛି । ବିଶେଷକରି ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଜୀବନଯାତ୍ରା ପ୍ରଭାବିତ ହୋଇପାରେ । ତେବେ ବିବାହ କାର୍ଯ୍ୟକ୍ରମରୁ କାହାରିକୁ ବଞ୍ଚିତ କରାଯିବ ନାହିଁ ବୋଲି କୁହାଯାଇଛି । ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମେତ ବହୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଦିଲ୍ଲୀର କିଛି ଟ୍ରକ୍‌, ଅଟୋ ସଂଘ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦରେ ସାମିଲ ହେବେ ବୋଲି କହିଛନ୍ତି । ଭାରତବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଆଇନ ନେଇ ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟର ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଚାଷୀମାନେ ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି । ଏହି ପ୍ରସଙ୍ଗ ଉପରେ ପୁଣି ବୁଧବାର ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ ।

Comments are closed.