ଏପ୍ରିଲ ପହିଲାରୁ ୪୫ରୁ ଊର୍ଦ୍ଧ୍ୱ ବୟସ୍କ ସବୁ ଲୋକଙ୍କୁ ଲଗାଯିବ ଟିକା

ନୂଆଦିିଲ୍ଲୀ – ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସବୁ ଲୋକଙ୍କୁ ଟିକା ଦିଆଯିବ । ଲୋକଙ୍କୁ କୌଣସି ଜଟିଳ ରୋଗ ନେଇ ଆଉ ମେଡିକାଲ ପ୍ରମାଣପତ୍ର ଦେଖାଇବାକୁ ପଡିବ ନାହିଁ । ସମ୍ପ୍ରତି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟରେ ଡାଏବେଟିସ୍‌, ହୃଦ ସମସ୍ୟା, କ୍ୟାନ୍ସର ଭଳି ଜଟିଳ ରୋଗରେ ପୀଡିତ ୪୫-୫୯ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି । କିନ୍ତୁ ଏପ୍ରିଲ ୧ରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସବୁ ଲୋକ ଟିକା ନେଇପାରିବେ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ଭାରତରେ ସମ୍ପ୍ରତି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏହି ପର୍ଯ୍ୟାୟରେ ଜଟିଳ ରୋଗ ଥିବା ୪୫ରୁ ଊର୍ଦ୍ଧ୍ୱ ଏବଂ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯାଉଛି । ଜଟିଳ ରୋଗରେ ଆକ୍ରାନ୍ତ ୪୫-୫୯ ବୟସ୍କ ଲୋକଙ୍କୁ ମେଡିକାଲ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ତେବେ କେନ୍ଦ୍ର ସରକାର ଟିକାକରଣ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଥିବାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କୁ ଏପ୍ରିଲ ପହିଲାରୁ ଟିକା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ଆଉ କୌଣସି ମେଡିକାଲ ପ୍ରମାଣପତ୍ର ଦେଖାଇବା ଦରକାର ହେବନି । ଦେଶରେ କରୋନାର ନୂଆ ମାମଲା କ୍ରମାଗତ ବଢ଼ି ଚାଲିଥିବାରୁ ସବୁ ବୟସବର୍ଗର ଲୋକଙ୍କୁ ଟିକାଦାନ କରିବା ପାଇଁ କିଛି ରାଜ୍ୟ କେନ୍ଦ୍ରକୁ ଅନୁରୋଧ କରିଥିଲେ ।

Comments are closed.