କରୋନା ଆକ୍ରାନ୍ତ ଭାଇଙ୍କୁ ବେଡ୍ ଦେବା ପାଇଁ ଟ୍ବିଟ୍ କରି ସାହାଯ୍ୟ ମାଗିଲେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ, ପରେ ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ଓ ଅକ୍ସିଜେନର ଅଭାବ ଚିନ୍ତା ବଢାଇ ଦେଇଛି ।

ଦେଶରେ କୋଭିଡ୍ ସ୍ଥିତି କେତେ ଶୋଚନୀୟ ହୋଇପଡିଛି ତାହା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ଭାଇରାଲ ହୋଇଥିବା ଏକ ଟ୍ବିଟରୁ ସ୍ପଷ୍ଟ ହୋଇଛି ।

ମନ୍ତ୍ରୀ ଭିକେ ସିଂହ ତାଙ୍କର ଜଣେ କରୋନା ଆକ୍ରାନ୍ତ ଭାଇଙ୍କୁ ବେଡ୍ ନ ମିଳିବାରୁ ଏନେଇ ବ୍ୟବସ୍ଥା କରିବାକୁ ସେ ଗାଜିଆବାଦ୍ କଲେକ୍ଟର ଙ୍କୁ ଟ୍ବିଟ୍ କରି ଆକୁଳ ନିବେଦନ କରିଥିଲେ । ସେ ଗାଜିଆବାଦ୍ କଲେକ୍ଟର ଙ୍କୁ ଟ୍ବିଟ୍ କରି କହିଥିଲେ, “ପ୍ଲିଜ୍ ଆମକୁ ସାହାଯ୍ୟ କରନ୍ତୁ, ମୋ ଭାଇଙ୍କୁ ବେଡ୍ ର ଆବଶ୍ୟକତା ଅଛି ‌ ଏବେ ଗାଜିଆବାଦରେ ବେଡ୍ ର ବ୍ୟବସ୍ଥା ହୋଇପାରୁ ନାହିଁ ।” ତେବେ ତାଙ୍କର ଏହି ଟ୍ବିଟ୍ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଟ୍ବିଟ୍ ଦେଶର ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଅନେକେ ଲୋକ ଓ ବିରୋଧୀ ନେତା ମତବ୍ୟକ୍ତ କରିଥିଲେ ।

ତେବେ ଘଣ୍ଟାଏ ପରେ ଭିକେ ସିଂହ ତାଙ୍କର ଏହି ଟ୍ବିଟ୍ ନେଇ ସ୍ପଷ୍ଟୀକରଣ ରଖିଥିଲେ । ସେ ପୁଣି ଟ୍ୱିଟ୍ କରି କହିଥିଲେ ଯେ, ସେ ଜଣେ ବ୍ୟକ୍ତିଙ୍କ ତରଫରୁ ଏଭଳି ଅନୁରୋଧ କରିଥିଲେ, ଯାହାର ଭାଇଙ୍କ ପାଇଁ ଚିକିତ୍ସା ଜରୁରୀ ଥିଲା । ପ୍ରଶାସନ ଯେଭଳି ପୀଡ଼ିତଙ୍କ ପାଖରେ  ପହଞ୍ଚି ପାରିବ ଏବଂ ତାଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରିବ
ସେଥିପାଇଁ ମୁଁ ଉଦ୍ୟମ କରିଥିଲି । ସେ ତାଙ୍କ ରକ୍ତ ସମ୍ପର୍କୀୟ ନୁହନ୍ତି, କିନ୍ତୁ ମାନବିକତା ଦୃଷ୍ଟିରୁ ସେ ମୋର ଭାଇ । କିଛି ଲୋକଙ୍କୁ ଏହି କଥା ବୁଝା ପଡୁନାହିଁ ବୋଲି ଭିକେ ସିଂହ କହିଛନ୍ତି ।

Comments are closed.