କରୋନା ବିରୋଧରେ ଶେଷ ଲଢ଼େଇ: ଆଜିଠୁ ଭାରତରେ ମେଗା ଟିକାକରଣ ଅଭିଯାନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଳୀ – ଶେଷରେ ଅପେକ୍ଷାର ଅନ୍ତ ଘଟିଛି । କରୋନା ମହାମାରୀ ବିରୋଧରେ ଶେଷ ଲଢ଼େଇ ପାଇଁ ଅଣ୍ଟା ଭିଡିଛି ଭାରତ । ଆଜିଠୁ ସାରାଦେଶରେ କରୋନା ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନକୁ ଶୁଭାରମ୍ଭ କରିବେ ।

ଦେଶର ୩୦୦୬ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ସବୁ ଟିକାକରଣ କେନ୍ଦ୍ର ଡିଜିଟାଲ ପ୍ଲାଟଫର୍ମ ଜରିଆରେ ପରସ୍ପର ସହ ଯୋଡି ହେବେ । ପ୍ରତ୍ୟକ କେନ୍ଦ୍ରରେ ଥରକେ ୧୦୦ ଜଣଙ୍କୁ ଟିକା ଦିଆଯିବ । ଟିକାକରଣ ସମ୍ବନ୍ଧୀୟ କୌଣସି ତଥ୍ୟ ଜାଣିବା ପାଇଁ ୨୪ ଘଣ୍ଟିଆ କଲ୍ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି । ଟିକାକରଣ ସମ୍ପର୍କିତ ଯେକୌଣସି ତଥ୍ୟ ଜାଣିବା ପାଇଁ ଉକ୍ତ କଲ୍ ସେଣ୍ଟର ନମ୍ବର ୧୦୭୫ରେ ଯୋଗାଯୋଗ କରିପାରିବେ । ଏହାଛଡ଼ା ‘କୋ-ୱିନ୍‌’ ନାମକ ଏକ ଆପ୍ ପ୍ରସ୍ତୁତ କରାଯାଇଛି, ଯଦ୍ୱାରା ଟିକାକରଣ ସମ୍ପର୍କିତ ସବୁ ତଥ୍ୟ ମିଳିପାରିବ ।

ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ଓ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି କିମ୍ବା ପୁରୁଣା ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଲଗାଯିବ । ବର୍ତ୍ତମାନ ପାଇଁ ଦେଶରେ ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’ଟିକାର ବ୍ୟବହାର ହେବ । ଟିକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣର ଟିକା ପଠାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଟିକାକରଣ ଅଭିଯାନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଆପ୍ ‘କୋ-ୱିନ୍‌’ର ବ୍ୟବହାର ହେବ । ଏହି ଆପ୍‌ରେ ଟିକାକରଣ ସମ୍ପର୍କିତ ସବୁ ତଥ୍ୟ ରହିବ ।

ଟିକାକରଣ ସମୟରେ କୌଣସି ଲୋକଙ୍କ ଠାରେ ଯଦି ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲା, ତେବେ ତାହାର ନିରାକରଣ ପାଇଁ ସବୁ ଟିକା କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ଟିକ ଜନିତ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲେ ସମ୍ପୃକ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀ ଦାୟୀ ରହିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏଭଳି ସ୍ଥଳେ ଟିକା କମ୍ପାନୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବେ । ଟିକା ନେଇ ମଧ୍ୟ ସରକାର କିଛି ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଗାଇଡ୍ ଲାଇନ୍ ମୁତାବକ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକା ଦିଆଯିବ ନାହିଁ । ଦୁଇ ଟିକା ମଧ୍ୟରେ ଗୋଟିଏକୁ ବାଛିବାକୁ ଲୋକଙ୍କୁ ଅନୁମତି ମିଳିବନି । ଯେଉଁ ଟିକାର ପ୍ରଥମ ଡୋଜ୍ ଦିଆଯିବ, ସେହି ଟିକାର ହିଁ ଦ୍ୱିତୀୟ ଡୋଜ୍ ଲଗାଯିବ । ଟିକା ଇଣ୍ଟରଚେଞ୍ଜ ବିକଳ୍ପ ରହିବ ନାହିଁ ।

Comments are closed.