କାକଟପୁରରେ ଲୋକଙ୍କୁ ଜାଲ୍ କୋଭିଡ ଟେଷ୍ଟିଂ ରିପୋର୍ଟ ଦେଉଥିବା ପ୍ୟାଥୋଲୋଜି ଲ୍ୟାବ୍ ସିଲ୍

ଭୁବନେଶ୍ୱର- କୋରୋନା ମହାମାରୀ ଭଳି ସଂକଟ ମଧ୍ୟରେ ବି କିଛି ଲୋକେ ଅସାଧୁ ଉପାୟ ଅବଲମ୍ବନ କରିବାରେ ପଛାଉ ନାହାନ୍ତି । ଏଭଳି ଏକ ବିଷମ ପରିସ୍ଥିତିରେ ମଧ୍ୟ ସେମାନେ ଅନ୍ୟକୁ ଠକି, ଶୋଷଣ କରି ଫାଇଦା ନେବାରେ ହେଳା କରୁନାହାନ୍ତି । ପୁରୀ-କାକଟପୁର ଅଂଚଳରେ ଜାଲ୍ କୋଭିଡ ଟେଷ୍ଟିଂ ରିପୋର୍ଟ ଦେଇ ଲୋକଙ୍କଠାରୁ ଅର୍ଥ ଲୁଟୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି ।

ଲୋକଙ୍କୁ ମିଛ କୋଭିଡ ଟେଷ୍ଟିଂ ଦେଉଥିବା କାକଟପୁରର ମା ଡାଏଗ୍ନୋଷ୍ଟିକ ନାମକ ଏକ ପ୍ୟାଥୋଲ୍ୟାବ ଉପରେ କାକଟପୁର ପୋଲିସ ଓ ତହସିଲଦାର ଚଢାଉ କରିଥିଲେ । ଚଢାଉ ବେଳେ ୨ଟି ଆଂଟିଜେନ୍ ଟେଷ୍ଟିଂ କିଟ୍ ଓ ଅନେକ କାଗଜପତ୍ର ଜବତ ହେବା ସହ ଲ୍ୟାବକୁ ସିଲ୍ କରାଯାଇଛି । ଲ୍ୟାବ ମାଲିକ ପ୍ରକାଶ ଦାସଙ୍କୁ ଗିରଫ କରାଯାଇଛି ।

ପ୍ରକାଶ ଦାସ ଲୋକଙ୍କୁ କୋଭିଟ ଟେଷ୍ଟ୍ ରିପୋର୍ଟ ଦେଉଥିଲେ । ଜଣଙ୍କଠାରୁ ୪ ଶହରୁ ୫ ଶହ ଟଙ୍କା ଲେଖାଏଁ ନେଉଥିଲେ । ଏହି ବେଆଇନ୍ ଓ ଜାଲ୍ ଟେଷ୍ଟିଂ ବିଷୟରେ ବାଙ୍କୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ ।

Comments are closed.