କାର୍ ଦୁର୍ଘଟଣାରେ ଦକ୍ଷିଣ ଆଫ୍ରିକା ଫୁଟବଲର ମାଦିଶାଙ୍କ ମୃତ୍ୟୁ

ଜୋହାନ୍ସବର୍ଗ – ଏକ କାର୍ ଦୁର୍ଘଟଣାରେ ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ମୋଜେକା ମାଦିଶାଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ ଆଫ୍ରିକା ଫୁଟବଲ ଆସୋସିଏସନ୍ (ସାଫା) ରବିବାର ଏହି ଦୁଃଖଦ ସୂଚନା ଦେଇଛି । ଏହି ୨୫ ବର୍ଷୀୟ ଡିଫେଣ୍ଡର ତାଙ୍କର ଜଣେ ସାଥୀଙ୍କ ସହ କାରରେ ଯାଉଥିବା ବେଳେ ରାସ୍ତା ପାଶ୍ୱର୍ରେ ଥିବା ଏକ ବିଲବୋର୍ଡ ସହ ଧକ୍କା ହୋଇ କାରଟି ଜଳିଯାଇଥିଲା । ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୋଲିସ୍ କହିଛି ।

ମାଦିଶା ଦକ୍ଷିଣ ଆଫ୍ରିକା ପାଇଁ ୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଗତମାସରେ ସେ ଆଫ୍ରିକା କପ୍ ଅଫ୍ ନେସନରେ ଖେଳିଥିଲେ । ସେ ଦକ୍ଷିଣ ଆଫ୍ରିକା ପ୍ରିମିୟର ସକର ଲିଗ୍ରେ ଚାମ୍ପିୟନ ଦଳ ମାମେଲୋଡି ସନଡାଉନ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ମାଦିଶାଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦକ୍ଷିଣ ଆଫ୍ରିକା କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି । ଫୁଟବଲ ପାଇଁ ଏହା ଏକ ଦୁଃଖଦ ସମ୍ବାଦ ବୋଲି ସାଫା ସଭାପତି ଡାନି ଜୋର୍ଡାନ କହିଛନ୍ତି ।

ଦୁଇମାସ ମଧ୍ୟରେ କାର୍ ଦୁର୍ଘଟଣାରେ ଦକ୍ଷିଣ ଆଫ୍ରିକାର ଦୁଇଜଣ ଫୁଟବଲ ଖେଳାଳିଙ୍କ ମୃତ୍ୟୁ ହୋଇଛି । ନଭେମ୍ବର ୨୩ରେ ଆଉ ଜଣେ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଏଙ୍ଗକୋଙ୍ଗାଙ୍କ ମଧ୍ୟ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

Comments are closed.