କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

କୋଲକାତା – ତିନି କୃଷି ଆଇନ ବିରୋଧରେ ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଶାସକ ତୃଣମୂଳ କଂଗ୍ରେସ ତରଫରୁ ଆଜି ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ତିନି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର କରିବା ଉଚିତ ନହେଲେ ଗାଦି ଛାଡ଼ିବା ଉଚିତ । ତୃଣମୂଳ କଂଗ୍ରେସ ତରଫରୁ କୃଷି ଆଇନ ବିରୋଧରେ ପ୍ରସ୍ତାବକୁ ଉପସ୍ଥାପନ କରିବା ପରେ ଏହାକୁ ବିଜେପି ବିଧାୟକମାନେ ବିରୋଧ କରିଥିଲେ । ଏହି ପ୍ରସ୍ତାବକୁ ବିରୋଧ କରି ବିଜେପି ବିଧାୟକ ଦଳର ନେତା ମନୋଜ ତିଗା ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । କୃଷି ଆଇନ ବିରୋଧରେ ତୃଣମୂଳ କଂଗ୍ରେସ ବିଭ୍ରାନ୍ତିକର ଅଭିଯାନ ଚଳାଉଛି ବୋଲି ସେ ଅଭିଯୋଗ କରିଥିଲେ । ପରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ବିଜେପି ବିଧାୟକ ଦଳର ନେତା ଗୃହରୁ ବାହାରି ଯାଇଥିଲେ ।

ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୃଷି ଆଇନ ବିରୋଧରେ ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି କେନ୍ଦ୍ରର ତିନୋଟି କୃଷି ଆଇନକୁ ସମାଲୋଚନା କରିଥିଲେ । ଏହା ଚାଷୀ ବିରୋଧୀ ବୋଲି ସେ କହିଥିଲେ । ନୂଆ କୃଷି ଆଇନ ଦ୍ୱାରା ଚାଷୀ ପରିବର୍ତ୍ତେ ଦେଶର ଶିଳ୍ପପତିମାନେ ଲାଭବାନ ହେବେ ବୋଲି ସେ କହିଥିଲେ । ତୃଣମୂଳ କଂଗ୍ରେସ ଦ୍ୱାର ଆଗତ ଏହି ପ୍ରସ୍ତାବକୁ କଂଗ୍ରେସ ଓ ବାମଦଳ ସମର୍ଥନ କରିଥିଲେ । କୃଷି ଆଇନ ବିରୋଧରେ ପୂର୍ବରୁ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, କେରଳ, ଦିଲ୍ଲୀ ଓ ପୁଡୁଚେରୀ ବି ସଂକଳ୍ପ ପ୍ରସ୍ତାବ ପାରିତ କରିଛନ୍ତି ।

Comments are closed.