କୃଷି ଆଇନ ବିରୋଧୀ ଆନ୍ଦୋଳନରୁ ଓହରିଲେ ଆଉ ଦୁଇ କୃଷକ ସଂଗଠନ

ନୂଆଦିଲ୍ଲୀ – ଟ୍ରାକ୍ଟର ରାଲି ବେଳେ ଜାତୀୟ ରାଜଧାନୀରେ ସଂଘଟିତ ହିଂସା ପରେ କୃଷି ଆଇନ ବିରୋଧୀ ଆନ୍ଦୋଳନ ଦୁର୍ବଳ ହେବାରେ ଲାଗିଛି । ଟ୍ରାକ୍ଟର ରାଲି ହିଂସାକାଣ୍ଡକୁ ନେଇ କୃଷକ ସଂଗଠନ ମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଏବେ କୃଷି ଆଇନ ବିରୋଧୀ ଆନ୍ଦୋଳନରୁ ଆଉ ଦୁଇଟି କୃଷକ ସଂଗଠନ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇ କୃଷକ ସଂଗଠନ ହେଲେ ଭାରତୀୟ କିଷାନ ସଂଘ (ଲୋକଶକ୍ତି) ଓ କିଷାନ ମହାପଞ୍ଚାୟତ । ଗତକାଲି ମଧ୍ୟ ଦୁଇ କୃଷକ ସଂଗଠନ ଚାଷୀ ଆନ୍ଦୋଳନରୁ ଓହରି ଯାଇଥିଲେ । ଏବେ ସୁଦ୍ଧା ଚାରି କୃଷକ ସଂଗଠନ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି ।

ତିନି କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା, ୟୁପି, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନର ବହୁ କୃଷକ ସଂଗଠନ ଦିଲ୍ଲୀର ବିଭିନ୍ନ ସୀମାରେ ଦୁଇ ମାସରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ଦୋଳନ ଜାରି ରଖିଥିଲେ ।

ତେବେ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସା ପରେ ଚାଷୀ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି । ଟ୍ରାକ୍ଟର ରାଲି ହିଂସା ଘଟଣାରେ ପୋଲିସ ୩୭ କୃଷକ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ।

Comments are closed.