କେନ୍ଦ୍ର ଦେଲା ଅନୁମତି, ଟିକାକରଣ ଅଭିଯାନରେ ସବୁ ଘରୋଇ ହସ୍ପିଟାଲ ସାମିଲ ହେବେ

ନୂଆଦିଲ୍ଲୀ – କରୋନା ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ସବୁ ଘରୋଇ ହସ୍ପିଟାଲକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସେମାବାର ଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସରକାରୀ ଯୋଜନା ସହ ଜଡିତ ଘରୋଇ ହସ୍ପିଟାଲ ଗୁଡିକୁ ଟିକାକରଣ କେନ୍ଦ୍ର ଭାବେ ସ୍ୱୀକୃତି ଦିଆଯାଇଥିଲା । ତେବେ ଏହି ତାଲିକାରେ ଅନ୍ୟ ଘରୋଇ ହସ୍ପିଟାଲ ବି ସାମିଲ ହେବେ । ଯାହା ଫଳରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ । ଏଥିପାଇଁ ଟିକା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କହିଛି ଯେ, ଟିକାକରଣ ପାଇଁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନା ଓ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ପଞ୍ଜିକୃତ ସବୁ ଘରୋଇ ହସ୍ପିଟାଲର କ୍ଷମତାର ଅଧିକ ଉପଯୋଗ କରାଯାଉ । ଏହି ଯୋଜନାରେ ସାମିଲ ନଥିବା ଘରୋଇ ହସ୍ପିଟାଲ ଗୁଡିକୁ ମଧ୍ୟ ଟିକା ଦେବାକୁ ଅନୁମତି ମିଳିବ । ତେବେ ଏଥିପାଇଁ ଏହିସବୁ ଘରୋଇ ହସ୍ପିଟାଲ ଗୁଡିକରେ ଟିକାକରଣ ପାଇଁ ସବୁ ସୁବିଧା ଉପଲବ୍ଧ ହେବା ଆବଶ୍ୟକ ।

ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ପୀଡିତ ୪୫ରୁ ୬୦ ବର୍ଷ ମଧ୍ୟରେ ଲୋକଙ୍କୁ ଟିକା ଦିଆଯିବ । ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯିବ । ଘରୋଇ ହସ୍ପିଟାଲରେ ଟିକାର ପ୍ରତି ଡୋଜ୍ ପାଇଁ ୨୫୦ ଟଙ୍କା ଦେବାକୁ ହେବ ।

Comments are closed.