କୋଭିଡ୍‌-୧୯: ଭାରତରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ର ଚାରି ମାମଲା ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ କୋଭିଡ୍‌-୧୯ର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ର ଚାରି ମାମଲା ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ଚାରି ବ୍ୟକ୍ତି ବିଦେଶ ଫେରନ୍ତା । ଜାନୁୟାରୀରେ ଏହି ଚାରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ମାମଲା ଚିହ୍ନଟ ହୋଇଥିଲା । ଚଳିତ ମାସରେ ଦେଶରେ ବ୍ରାଜିଲରେ ଠାବ ହୋଇଥିବା କୋଭିଡ୍ ଷ୍ଟ୍ରେନର ଗୋଟିଏ ମାମଲା ବି ଚିହ୍ନଟ ହୋଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ଭାର୍ଗବ ଠାକୁର ଏହି ସୂଚନା ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଆକ୍ରାନ୍ତମାନେ ଗତ ମାସରେ ଭାରତକୁ ଫେରିଥିଲେ । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆଙ୍ଗୋଲା, ଆଉ ଜଣେ ତାଞ୍ଜାନିଆ ଏବଂ ଅନ୍ୟ ଦୁଇ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟୋରୋଲୋଜି (ଏନ୍‌ଆଇଭି) ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌କୁ ଆଇସୋଲେଟ୍ କରିବା ସହ ପୃଥକୀକରଣ କରିବା ପ୍ରକ୍ରିୟା ଜାରି ରଖିଛି ।
ଭାର୍ଗବଙ୍କ ସୂଚନା ଅନୁଯାୟୀ, ଫେବୃୟାରୀର ପ୍ରଥମ ସପ୍ତାହରେ ଦେଶରେ କୋଭିଡ୍‌-୧୯ର ବ୍ରାଜିଲ୍ ଷ୍ଟ୍ରେନ୍‌ର ଏକ ମାମଲା ବି ଠାବ ହୋଇଥିଲା । ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କୋଭିଡ୍ ଟେଷ୍ଟ ସହ କରାଯାଇ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ଇତିମଧ୍ୟରେ ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍‌ର ମାମଲା ୧୮୭କୁ ବୃଦ୍ଧି ପାଇଛି । ଦେଶରେ ପ୍ରଥମେ ଡିସେମ୍ବରରେ ବ୍ରିଟେନ ଷ୍ଟ୍ରେନର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ।

Comments are closed.