କୋଭିଡ୍ ଟିକା ବଦଳରେ ଜଳାନ୍ତକ ଟିକା ଦେଲେ

ଲକ୍ଷ୍ନୌ – ଏକ ଅଭାବନୀୟ ଘଟଣା କ୍ରମେ ତିନି ବୟସ୍କ ମହିଳାଙ୍କୁ କୋଭିଡ୍ ପରିବର୍ତ୍ତେ ଜଳାନ୍ତକ ଟିକା ଦିଆଯାଇଛି । ଏହି ଘଟଣା ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲା କାନ୍ଧଲା ଅଞ୍ଚଳରେ ଘଟିଛି । ଟିକା ନେଇଥିବା ଜଣେ ମହିଳାଙ୍କ ବାନ୍ତି ହେବା ସହ ମୁଣ୍ଡ ବୁଲାଇବା ପରେ ସେମାନଙ୍କୁ ଜଳାନ୍ତକ ଟିକା ଦିଆଯାଇଥିବା ଜଣାପଡିଥିଲା ।
ଉକ୍ତ ତିନି ମହିଳାଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହୋଇପଡିବା ପରେ ସେ ଏକ ଘରୋଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ପରେ ସେ ଟିକା ସ୍ଲିପ୍ ଡାକ୍ତରଙ୍କୁ ଦେଖାଇଥିଲେ । ସେଥିରେ ଉକ୍ତ ମହିଳାଙ୍କୁ ଜଳାନ୍ତକ ଟିକା ଦିଆଯାଇଥିବା ଉଲ୍ଲେଖ ହୋଇଥିଲା ।
ଶାମଲୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଯଶଜୀତ କୌର କହିଛନ୍ତି ଯେ, ୬୦ରୁ ୭୦ ବର୍ଷ ବୟସ ମଧ୍ୟରେ ତିନି ମହିଳା କୋଭିଡ୍ ଟିକା ନେବାକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ତେବେ ସେମାନେ କୋଭିଡ୍ ଟିକା ପରିବର୍ତ୍ତେ ଜଳାନ୍ତକ ଟିକା ବିଭାଗକୁ ଯାଇ ସେଠାରେ ଧାଡ଼ିରେ ଛିଡ଼ା ହୋଇଯାଇଥିଲେ । ଟିକା ଦେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଅବହେଳା ହୋଇଛି ବୋଲି କୌର ସ୍ୱୀକାର କରିଛନ୍ତି । ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

Comments are closed.