କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ : ଡବଲ୍ ମାସ୍କ ବ୍ୟବହାର ପାଇଁ ପରାମର୍ଶ, ନୂଆ ଭୂତାଣୁ ଦ୍ୱାରା ସବୁ ବର୍ଗର ଲୋକ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ କୋରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ସଂକ୍ରମଣ ଅଧିକ ରହୁଛି । ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର ।

କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ ମିଟ୍‌ରେ ଡାକ୍ତର ଜୟନ୍ତ ପଣ୍ଡା ଏହା କହିଛନ୍ତି । ଟିକା ନେଇଥିଲେ ପୁନଃ ସଂକ୍ରମଣର ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ସେ କହିଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ସେ ପରାମର୍ଶ ଦେବା ସହ ମାସ୍କ ବ୍ୟବହାର ହିଁ ସବୁଠାରୁ ନିରାପଦ ଉପାୟ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଘରେ କିମ୍ବା ଗାଡି ଚାଳନା ବେଳେ ମଧ୍ୟ ମାସ୍କର ବ୍ୟବହାର ଅନିବାର୍ଯ୍ୟ । ଯୁବଗୋଷ୍ଠୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସେମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଥାଏ । ଏଣୁ ଡବଲ୍ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଡାକ୍ତର ସଂପଦ ଦାସ କହିଛନ୍ତି ଯେ, ନୂଆ ଭୂତାଣୁର ଲକ୍ଷଣ ଭିନ୍ନ ରହିଛି । ତେବେ ନୂଆ ଭୂତାଣୁର ଚିକିତ୍ସା ପାଇଁ ଅକ୍ସିଜେନ ବ୍ୟବହାର ଅଧିକ ଦରକାର । ନୂଆ ଭୂତାଣୁ ଦ୍ୱାରା ସବୁ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି ବୋଲି ଡାକ୍ତର ଦାସ କହିଛନ୍ତି । କୋଭିଡରେ ଆକ୍ରାନ୍ତ ହେଲେ ହୋମ ଆଇସୋଲେସନରେ ରହିବା ଦରକାର । ଭୟଭୀତ ନ ହୋଇ ଅଯଥାରେ ଡାକ୍ତରଖାନାରେ ଭିଡ ନ ଜମାଇବାକୁ ସେ ପରାମର୍ଶ ଦେଇଛନ୍ତି ।

Comments are closed.