‘କୋଭିସିଲ୍ଡ’ ଉପରେ ରୋକ୍ ଲଗାଇବା ପାଇଁ ମାଡ୍ରାସ୍ ହାଇକୋର୍ଟରେ ପିଟିସନ୍

‌ଚେନ୍ନାଇ – ଭାରତରେ କରୋନା ବିରୋଧୀ ଟିକାକରଣ କାର୍ଯ୍ୟକ୍ରମରେ ବ୍ୟବହାର ହେଉଥିବା ‘କୋଭିସିଲ୍ଡ’ ଉପରେ ରୋକ୍ ଲଗାଇବା ପାଇଁ ମାଡ୍ରାସ୍ ହାଇକୋର୍ଟରେ ଜଣେ ବ୍ୟକ୍ତି ପିଟିସନ ଦାୟର କରିଛନ୍ତି । ଏଥିସହ ସେ ଟିକା କମ୍ପାନୀ ଠାରୁ ୫ କୋଟି କ୍ଷତିପୂରଣ ଦାବି କରିଛନ୍ତି । ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ‘କୋଭିସିଲ୍ଡ’ ଟିକା ନେବା ପରେ ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟାର ଶିକାର ହୋଇଥିବା ଅଭିଯୋଗ କରି ୪୧ ବର୍ଷୀୟ ଆସିଫ୍ ରିଆଜ୍ ଏହି ପିଟିସନ୍ ଦାୟର କରିଛନ୍ତି ।

‘କୋଭିସିଲ୍ଡ’ ଟିକା ବିରୋଧରେ ଆଗତ ପିଟିସନକୁ ଗ୍ରହଣ କରି ମାଡ୍ରାସ୍ ହାଇକୋର୍ଟ କେନ୍ଦ୍ର ସରକାର ଓ ଆଷ୍ଟ୍ରାଜେନେକାକୁ ନୋଟିସ୍ ଜାରି କରିଛନ୍ତି । ଏହାଛଡ଼ା କୋର୍ଟ ଡ୍ରଗ୍ସ ନିୟନ୍ତ୍ରକ ସଂସ୍ଥା ଆଇସିଏମ୍‌ଆର, ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଚେନ୍ନାଇ ସ୍ଥିତ ରାମଚନ୍ଦ୍ର ହାୟର ଏଜୁକେସନ ଆଣ୍ଡ ରିସର୍ଚ ସେଣ୍ଟରକୁ ମଧ୍ୟ ଜବାବ ତଲବ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୬ରେ ହେବ ।

‘କୋଭିସିଲ୍ଡ’ ଟିକା ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିବା ରିଆଜ୍ ପେସାରେ ଜଣେ ମାର୍କେଟିଂ କନସଲ୍ଟାଣ୍ଟ୍ । ସେ କହିବା ଅନୁସାରେ ଅକ୍ଟୋବରରେ ସେ କରୋନା ଟିକା ‘କୋଭିସିଲ୍ଡ’ ନେଇଥିଲେ । ତେବେ ଟିକା ନେବାର କିଛି ଦିନ ପରେ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ହୋଇଥିଲା । ମୁଣ୍ଡବିନ୍ଧା କମିବା ପରିବର୍ତ୍ତେ ବଢ଼ିଥିଲା । ସେ ବେଶ୍ ଦୁର୍ବଳତା ଅନୁଭବ କରିଥିଲେ । ଡାକ୍ତରୀ ପରୀକ୍ଷା ପରେ ଜଣାପଡିଥିଲା ଯେ, ସେ ଗମ୍ଭୀର ସ୍ନାୟୁଗତ ସମସ୍ୟାରେ ପୀଡିତ । ଏଥିଯୋଗୁଁ ମସ୍ତିସ୍କ ଓ ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ । ଅବସ୍ଥା ଗୁରୁତର ହେବାରୁ ସେ ଚେନ୍ନାଇ ସ୍ଥିତ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ହସ୍ପିଟାଲର ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ଦଶ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଥିଲେ ।

ରିଆଜ କରିଥିବା ଅଭିଯୋଗକୁ ସେରମ୍ ଇନଷ୍ଟଚ୍ୟୁଟ୍ ତରଫରୁ ଖଣ୍ଡନ କରାଯାଇଛି । ରିଆଜ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଅଭିଯୋଗ କରିଛନ୍ତି ତାହା ଟିକା ଜନିତ ନୁହେଁ ବରଂ ଅନ୍ୟ କାରଣରୁ ହୋଇପାରେ ବୋଲି ସେରମ୍ ଇନଷ୍ଟିଚ୍ୟୁଟ ତରଫରୁ କୁହାଯାଇଛି ।

Comments are closed.