ଗଣତନ୍ତ୍ର ଦିବସ ହିଂସା ଘଟଣାର ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କଲେ କୃଷକ ସଂଘ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ବିଭିନ୍ନ କୃଷକ ସଂଗଠନ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସା ଘଟଣାର ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ଚାଷୀମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ହିଂସା ଘଟଣାରେ ନୋଟିସ ପାଇଥିବା ଚାଷୀମାନଙ୍କୁ ପୋଲିସ୍ ଆଗରେ ହାଜର ନ ହେବାକୁ କୁହାଯାଇଛି । ପୋଲିସ ଆଗରେ ସିଧାସଳଖ ହାଜର ହେବା ପରିବର୍ତ୍ତେ କୃଷକ ସଂଗଠନମାନଙ୍କ ଦ୍ୱାରା ଗଠିତ ଆଇନ ସେଲର ପରାମର୍ଶ ନେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ ଆନ୍ଦୋଳନରତ ଚାଷୀମାନଙ୍କୁ କହିଛନ୍ତି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଗଠିତ ଆଇନ ସେଲର ସଦସ୍ୟ କୁଲଦୀପ ସିଂ କହିଛନ୍ତି ଯେ, ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଜାନୁୟାରୀ ୨୬ ହିଂସାର ତଦନ୍ତ କରାଗଲେ ଏହା ପଛରେ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବ । ହିଂସାରେ ଚାଷୀଙ୍କ ସମ୍ପୃକ୍ତିକୁ ସେ ଖଣ୍ଡନ କରିବା ସହ କହିଛନ୍ତି ଚାଷୀମାନଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ହିଂସା ପରଠୁ ଟ୍ରାକ୍ଟର ରାଲିରେ ଅଂଶଗ୍ରହଣ କରିଥିବା ୧୬ ଜଣ ଚାଷୀଙ୍କ ପତ୍ତା ମିଳୁନାହିଁ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ ଅଭିଯୋଗ କରିଛନ୍ତି ।

Comments are closed.