ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିବସରେ ରୋହିତ ରାଜ, ଭାରତ ୩୦୦/୬

ଚେନ୍ନାଇ,୧୩ ।୨: ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମାଙ୍କ ଚିତ୍ତାକର୍ଷକ ଶତକ ସହାୟତାରେ ଭାରତ ଶନିବାର ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଦୃୃଢ ସ୍ଥିତିରେ ରହିଛି । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଫେଲ୍ ମାରିଥିବା ରୋହିତ ଟର୍ଣ୍ଣ ନେଉଥିବା ଏକ ଚାଲେଞ୍ଜିଂ ପିଚ୍ ରେ ଚମତ୍କାର ୧୬୧ ରନର ପାଳି ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୩୦୦ ରନ୍ କରିଛି ।

ଗୁରୁତ୍ୱପୂର୍ଣ୍ଣ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ହେଲେ ଗିଲ୍ ଓ ଅଧିନାୟକ ବିରାଟ କୋହଲି ଖାତା ଖୋଲିନପାରି ଆଉଟ୍ ହେବା ପରେ ଦଳ ଆରମ୍ଭରୁ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ତେବେ ରୋହିତ ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଚତୁର୍ଥ ୱିକେଟରେ ୧୬୨ ରନର ଭାଗିଦାରୀ ସହ ଦଳୀୟ ସ୍ଥିତି ସୁଧାରିଥିଲେ । ରୋହିତ କ୍ୟାରିୟରର ସପ୍ତମ ଶତକ ହାସଲ କରିଥିବା ବେଳେ ରାହାଣେ ମଧ୍ୟ ଫର୍ମକୁ ଫେରି ୬୭ ରନର ଯୋଗଦାନ କରିଥିଲେ । ଉଭୟଙ୍କ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବହୁଦିନ ପରେ ଷ୍ଟାଡିୟମକୁ ଫେରିଥିବା ଦର୍ଶକଙ୍କ ମଧ୍ୟ ମନୋରଞ୍ଜନ କରିଥିଲା । ପ୍ରାୟ ବର୍ଷକ ବ୍ୟବଧାନ ପରେ ଏହି ଟେଷ୍ଟରୁ ଷ୍ଟାଡିୟମକୁ ଦର୍ଶକଙ୍କୁ ଏଣ୍ଟ୍ରି ମିଳିଥିଲା । ପ୍ରଥମ ଦିନରେ ପ୍ରାୟ ଚେପକ୍ ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଦର୍ଶକ ଖେଳର ମଜା ଉଠାଇଥିଲେ ।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ରିଷଭ ପନ୍ତ ୩୩ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ଡେବ୍ୟୁ ମ୍ୟାଚ ଖେଳୁଥିବା ଅକ୍ଷର ପଟେଲ ୫ ରନ୍ କରି ବ୍ୟାଟିଂ କରୁଛନ୍ତି । ଏବେଠାରୁ ପିଚ୍ ଟର୍ଣ୍ଣ ନେଉଥିବା ବେଳେ ୩୫୦ରୁ ଊର୍ଦ୍ଧ୍ୱ ସ୍କୋର ଏହି ଟ୍ରାକରେ ଏକ ଚାଲେଞ୍ଜିଂ ପ୍ରଥମ ଇନିଂସ୍ ସ୍କୋର ହେବ । ଫର୍ମରେ ଥିବା ପନ୍ତ ଓ ବ୍ୟାଟିଂ ଦକ୍ଷତା ପାଇଁ ପରିଚିତ ଅକ୍ଷର ପଟେଲ୍ ଭାରତକୁ ଏହି ମ୍ୟାଜିକ୍ ସ୍କୋରରେ ପହଞ୍ଚାଇବେ ବୋଲି ଆଶା କରାଯାଉଛି । ପ୍ରଥମ ଟେଷ୍ଟରେ ୨୨୭ ରନରେ ଶୋଚନୀୟ ପରାଜୟ ପରେ ଭାରତ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ସ୍ଥାନ ପାଇବା ପାଇଁ ମଧ୍ୟ ଭାରତକୁ ଏହି ଟେଷ୍ଟ ସହ ପରବର୍ତ୍ତୀ ଦୁଇଟି ଟେଷ୍ଟରେ ବିଜୟ ଆବଶ୍ୟକ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦ୍ୱିତୀୟ ଓରଭରେ ଶୁବମନ ଗିଲଙ୍କ ୱିକେଟ୍ ହରାଇଥିଲା । ଗିଲ୍ ଖାତା ଖୋଲିବା ପୂର୍ବରୁ ଓଲି ଷ୍ଟୋନଙ୍କ ବଲରେ ଲେଗ୍ ବିଫୋର ହୋଇଯାଇଥିଲେ । ଏହାପରେ ଚେତେଶ୍ୱର ପୂଜାରା (୨୧) ଓ ରୋହିତ ଦ୍ୱିତୀୟ ୱିକେଟରେ ୮୫ ରନ୍ ଯୋଗ କରିଥିଲେ । ପୂଜାରାଙ୍କୁ ଆଉଟ୍ କରି ଜାକ୍ ଲିଚ୍ ଇଂଲଣ୍ଡକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା କୋହଲିଙ୍କୁ ଚକମା ଦେଇ ଏହି ଭାରତୀୟ ସୁପରଷ୍ଟାରଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ମୋଇନ୍ ଅଲ୍ଲୀ । କୋହଲି ଖାତା ଖୋଲିନପାରି ଆଉଟ୍ ହୋଇଥିଲେ । ଭାରତ ୮୬ ରନରେ ୩ଟି ୱିକେଟ୍ ହରାଇଥିଲା । ତେବେ ରୋହିତ ଓ ରାହାଣେ ଚତୁର୍ଥ ୱିକେଟରେ ଗୁରୁତ୍ୱପୂର୍ଣ୍ଣ ଶତକୀୟ ଭାଗିଦାରୀ ସହ ଦଳୀୟ ସ୍ଥିତି ସୁଦୃଢ଼ କରିôଲେ । ଚା’ପାନ ବିରତି ପରେ ଏହି ଦୁଇ ସେଟ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଇଂଲଣ୍ଡ ଆଶ୍ୱସ୍ତି ଲଭିଥିଲା । ରୋହିତଙ୍କ ୧୬୧ ରନର ଇନିଂସରେ ୧୮ଟି ଚୌକା ଓ ୨ଟି ଛକା ସାମିଲ ଥିଲା ଏବଂ ସେ ୨୩୧ ବଲ୍ ର ସମ୍ମୁଖୀନ ହୋଇଥିଲେ । ଏକ ଚାଲେଞ୍ଜିଂ ପିଚ୍ ରେ ରୋହିତଙ୍କ ଏହି ଇନିଂସ ସ୍ୱତନ୍ତ୍ର ଥିଲା । ଇଂଲଣ୍ଡ ତରଫରୁ ସିନିୟର ଅଲରାଉଣ୍ଡର ମୋଇନ ଅଲ୍ଲୀ ସଫଳ ବୋଲର ଭାବେ ୩ଟି ୱିକେଟ୍ ନେଇଥିଲେ ।

Comments are closed.