ଘରେ ଘରେ ଅରୁଣିମା : କୋଭିଡ ସଂକଟ ବେଳେ ପାଲଟିଛି ଶିଶୁଙ୍କ ବିକାଶର ସଫଳ ମାଧ୍ୟମ, କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ସକ୍ରିୟ ସହଭାଗିତା

ଭୁବନେଶ୍ୱର- କୋଭିଡ -୧୯ ମହାମାରୀ ସମୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ଘରେ ଘରେ ଅରୁଣିମା କ୍ୟାଲେଣ୍ଡର’ର କାର୍ଯ୍ୟକାରିତା ଏକ ସ୍ୱାଗତଯୋଗ୍ୟ, ପ୍ରେରଣାଦାୟୀ ଓ ସଫଳ ପଦକ୍ଷେପ ହୋଇପାରିଛି । ଏହି ନୂଆ ପଦକ୍ଷେପ ମାଧ୍ୟମରେ ଘରେ ଘରେ ପୁରୁଷମାନଙ୍କର ଯେପରିକି ବାପା, ଦାଦା, ବଡବାପା, ଜେଜେବାପା, ଭାଇ, ମଉସା, ମାମୁମାନଙ୍କୁ ସାମିଲ କରି ସେମାନଙ୍କର ସହଭାଗିତାକୁ ନିଶ୍ଚିତ କରାଯାଇପାରିଛି । ଏହି ବର୍ଷ ଏପ୍ରିଲ ମାସରେ ଲକଡାଉନ ବେଳେ ଏହା କାର୍ଯ୍ୟକାରୀ ହୋଇଥିଲା । ପ୍ରତିମାସର ବିଷୟବସ୍ତୁକୁ ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ମାଧ୍ୟମରେ କୌତୁହଳପୂର୍ଣ୍ଣ ଓ ଆନନ୍ଦଦାୟକ ଭାବେ ପ୍ରାକ୍ –ବିଦ୍ୟାଳୟର ଶିଶୁମାନଙ୍କୁ ପରିବେଷଣ କରାଯାଉଛି । ଏହି ମାସର ବିଷୟବସ୍ତୁ ‘ପଶୁପକ୍ଷୀ’ ସଂପର୍କିତ କ୍ୟାଲେଣ୍ଡର ମାସ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି ଏବଂ ସମସ୍ତ ଯୋଗ୍ୟ ପରିବାର ଯେପରି ଏହା ପାଇପାରିବେ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାକ୍‌- ବିଦ୍ୟାଳୟର ଶିଶୁମାନେ ଅଙ୍ଗନବାଡି କେନ୍ଦ୍ରକୁ ନ ଆସି ମଧ୍ୟ ମାତାପିତା ବା ଅଭିଭାବକଙ୍କ ସହଯୋଗରେ ଏକ କୌତୁହଳପୂର୍ଣ୍ଣ ପରିବେଶରେ ଭିତରେ ଏହି କ୍ୟଲେଣ୍ଡର ମାଧ୍ୟମରେ ବିଭିନ୍ନ ଗୀତ, ଗପ, ଖେକଳ, ନାଚ, ଚିତ୍ର, ଖେଳନା, ମୁକ୍ତ ବାର୍ତାଳାପ, ଅଭିନୟ, ସଂଗୀତ ଇତ୍ୟାଦି ଦ୍ୱାରା ମାସର ବିଷୟବସ୍ତୁ ଘରେ ସମ୍ୟକ ଧାରଣା ପାଇପାରୁଛନ୍ତି ।

‘ଘରେ ଘରେ ଅରୁଣିମା’ର ଏକ ସକାରାତ୍ମକ ଦିଗ ହେଉଛି, ଏଥିରେ ପୁରୁଷମାନଙ୍କର ସକ୍ରିୟ ଅଂଶଗ୍ରହଣ । ବିଭିନ୍ନ ଜିଲ୍ଲାରୁ ଏ ସଂପର୍କିତ ସୁନ୍ଦର ଫଟୋ ତଥା ପ୍ରତିକ୍ରିୟା ଆଦି ବିଭାଗର ହସ୍ତଗତ ହୋଇଛି ଯେପରିକି, ଏହି ମାସରେ ‘ପଶୁପକ୍ଷୀ’ ବିଷୟରେ ନିଜ ପିଲା ସହିତ କାର୍ଯ୍ୟକ୍ରମ କରି ଜଣେ ବାପା କୁହନ୍ତି ଯେ, ବହୁତ ଦିନ ପରେ ‘ଦଳର ବଳ’ ବିଷୟରେ ବୁଝାଇବାକୁ ଯାଇ ଶିକାରୀ ଓ ପକ୍ଷୀ ଗପ ଝିଅକୁ କହିଲା ବେଳେ ତାଙ୍କୁ ବହୁତ ଖୁସି ଲାଗିଥିଲା ।

ଘରେ ଘରେ ଅରୁଣିମାର କ୍ୟାଲେଣ୍ଡର କୋଭିଡ-୧୯ ମହାମାରୀ ସମୟରେ ହାତଧୁଆ ଅଭ୍ୟାସ, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ଅନ୍ୟାନ୍ୟ ଭଲ ଅଭ୍ୟାସ ସହ ପୁରୁଷମାନଙ୍କର ସକ୍ରିୟ ଯୋଗଦାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମକୁ ନିୟମିତ ପରିବାର ମଧ୍ୟରେ କରିବା ପାଇଁ ପ୍ରୋତ୍ସାହିତ କରାଯାଇଛି । ସୁଦୃଢ ପାରିବାରିକ ବନ୍ଧନ ଓ ଶିଶୁର ସାମାଜିକ ଏବଂ ବୌଦ୍ଧିକ ବିକାଶ ସହିତ ତାହାର ସମୃଦ୍ଧ ବ୍ୟକ୍ତିତ୍ୱ ଗଠନରେ ଘରର ପୁରୁଷ ସଦସ୍ୟମାନଙ୍କର ଅଧିକରୁ ଅଧିକ ସହଭାଗିତା ଆଶା କରାଯାଉଛି ।

Comments are closed.