ଚତୁର୍ଥ ଟି୨୦ରେ ଭାରତର ରୋମାଞ୍ଚକ ବିଜୟ, ଇଂଲଣ୍ଡକୁ ୮ ରନରେ ହରାଇଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ – ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ଟି୨୦ ଇଂଲଣ୍ଡକୁ ୮ ରନରେ ହରାଇଛି । ଏହି ରୋମାଞ୍ଚକ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ ସ୍ଥିତିକୁ ଆଣିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଓ ଶ୍ରେୟାସ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ପାଳି ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୫ ରନ୍ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୧୭୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଇଂଲଣ୍ଡ ତରଫରୁ ବେନ୍ ଷ୍ଟୋକ୍ସ ସର୍ବାଧ୍ଚଳ ୪୬ ରନ୍ କରିଥିବା ବେଳେ ଜାସନ ରୟ ୪୦ ଏବଂ ଜନି ବେୟାରଷ୍ଟୋ ୨୫ ରନ୍ କରିଥିଲେ । ଷ୍ଟୋକ୍ସ ଏକଦା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବେ ବୋଲି ମନେ ହେଉଥିଲା । ହେଲେ ୧୭ତମ ଓଭରରେ କ୍ରମାଗତ ଦୁଇ ବଲରେ ଉଭୟ ଷ୍ଟୋକ୍ସ ଓ ଇଂଲଣ୍ଡ ଅଧିନାୟକ ମୋର୍ଗାନ(୪)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଲ ଠାକୁର ଭାରତ ପାଇଁ ବିଜୟ ପଥ ପରିଷ୍କାର କରିଦେଇଥିଲେ । ଭାରତ ତରଫରୁ ଠାକୁର ୩ଟି ୱିକେଟ୍ ନେଇଥିବା ବେଳେ ରାହୁଲ ଚହର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ ପୁଣିଥରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ। ଇଂଲଣ୍ଡ ପ୍ରଥମ ଓଭରରେ ସ୍ପିନର ଆଦିଲ୍ ରଶିଦଙ୍କୁ ବୋଲିଂ କରିବାକୁ ଦେଇଥିଲା। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ଏହି ଲୟକୁ ବଜାୟ ରଖିପାରିନଥିଲେ। ରୋହିତ୍ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।
ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଆର୍ଚରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ। ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ। କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଆଉଟ୍ ହୋଇଥିଲେ।

ତେବେ ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ସୂର୍ଯ୍ୟକୁମାର ନିଜର ଦ୍ୱିତୀୟ ମୁକାବିଲାରେ ଚମତ୍କାର ବ୍ୟାଟିଂ କରିଥିଲେ। ଆଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଥିବା ସୂର୍ଯ୍ୟକୁମାର ମାତ୍ର ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ଋଷଭ ପନ୍ତ। ଦୁହେଁ ଚତୁର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ସାମ୍ କୁରାନଙ୍କ ଓଭରରେ କ୍ରମାଗତ ଦ୍ୱିତୀୟ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ ଧରା ପଡ଼ିଥିଲେ। ଏହି କ୍ୟାଚକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଅମ୍ପାୟାର୍ସ କଲ କାରଣରୁ ନିଷ୍ପତ୍ତି ବଳବତ୍ତର ରହିଥିଲା।

ପନ୍ତ ୨୩ ବଲରେ ୪ ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର୍ ଦ୍ରୁତ ରନ୍ କରିଥିଲେ ହେଁ ଅନ୍ତିମ ଓଭରରେ ତାଙ୍କୁ ଆର୍ଚର ଆଉଟ୍ କରି ଭାରତ ରନରେ ଅଙ୍କୁଶ ଲଗାଇଥିଲେ। ଆୟର୍ ୧୮ ବଲରେ ଦ୍ରୁତ ୩୭ (୫ ଚୌକା ଓ ୧ ଛକା) ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ୩୩ ରନ୍ ଦେଇ ୪ଟି ୱିକେଟ ନେଇଥିଲେ।

Comments are closed.