ଚତୁର୍ଥ ଟେଷ୍ଟ: ଲଢ଼ୁଆ ବ୍ୟାଟିଂ ସହ ଭାରତକୁ ଆଶା ଦେଲେ ସୁନ୍ଦର, ଠାକୁର

ବ୍ରିସବେନ – ଚତୁର୍ଥ ଟେଷ୍ଟରେ ଭାରତର ନବାଗତ ତଥା ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ବୋଲିଂରେ ପ୍ରଭାବୀ ପ୍ରଦର୍ଶନ ପରେ ବ୍ୟାଟିଂର ବି ଚମକିଛନ୍ତି ଡେବୁଟାଣ୍ଟ୍ ୱାଶିଂଟନ ସୁନ୍ଦର । ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଆଜି ଭାରତ ପାଇଁ ହିରୋ ସାଜିଛନ୍ତି । ଏହି ଦୁଇ ଯୁବ ଖେଳାଳି ଲଢ଼ୁଆ ଅର୍ଦ୍ଧଶତକ ସହ ଭାରତକୁ ଏକ ବଡ଼ ବିପଦରୁ ଉଦ୍ଧାର କରି ଦଳର ବିଜୟ ଆଶା ଉଜ୍ଜୀବିତ ରଖିଛନ୍ତି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ୩୬୯ ରନ୍ ଜବାବରେ ଭାରତ ୩୩୬ ରନ୍ କରି ଅଲଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ମାତ୍ର ୩୩ ରନରେ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିନର ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ବିନା କୌଣସି କ୍ଷତିରେ ୨୧ ରନ୍ କରିଛି । ଡେଭିଡ୍ ୱାର୍ଣ୍ଣର ୨୦ ଓ ମାର୍କସ୍ ହାରିସ୍ ୧ ରନ୍ କରି ବ୍ୟାଟିଂ କରୁଛନ୍ତି । ଅଷ୍ଟ୍ରେଲିଆ ଏଯାବତ୍ ୫୪ ରନରେ ଅଗ୍ରଣୀ ରହିଛି ।

ଅଷ୍ଟ୍ରେଲିଆର ଆହୁରି ବଡ଼ ଅଗ୍ରଣୀ ହାସଲ କରିବା ସ୍ଥିତିରେ ଥିଲା । କାରଣ ଭାରତ ଏକଦା ୧୮୬ ରନରେ ୬ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ହେଲେ ସୁନ୍ଦର ଓ ଠାକୁର ନିର୍ଭୀକ ପ୍ରଦର୍ଶନ ସହ ଭାରତକୁ ମୁକୁଳାଇଥିଲେ । ଏହି ଦୁଇ ଯୁବ ଖେଳାଳି ସପ୍ତମ ୱିକେଟ୍‌ରେ ରେକର୍ଡ ୧୨୩ ରନ୍ ଭାଗିଦାରୀ କରି ଅଷ୍ଟ୍ରେଲିଆକୁ ପାଣି ପିଆଇ ଦେଇଥିଲେ । ଭାରତ ତରଫରୁ ଏହା ଅଷ୍ଟ୍ରେଲିଆରେ ବୃହତ ସପ୍ତମ ୱିକେଟ୍ ଭାଗିଦାରୀ । ଠାକୁର ୯ଟି ଚୌକା ଓ ୨ଟି ଛକା ସହ ୬୭ ରନ୍ କରିଥିଲା ବେଳେ ସୁନ୍ଦର ୭ଟି ଚୌକା ଓ ଗୋଟିଏ ଛକା ବଳରେ ୬୨ ରନ୍ କରିଥିଲେ । ଭାରତର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାଣେ ୩୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୨୫ ଓ ମୟଙ୍କ ଅଗ୍ରୱାଲ ୩୮ ଏବଂ ରିଷଭ ପନ୍ତ ୨୩ ରନ୍ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ଜୋସ ହାଜେଲଉଡ୍ ସଫଳ ବୋଲର ଭାବେ ୫ଟି ୱିକେଟ୍ ହାସଲ କରିଥିବା ବେଳେ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.