ସୁପ୍ରିମକୋର୍ଟ କମିଟି ଆଗରେ ହାଜର ହେବାକୁ ମନାକଲେ ଚାଷୀ, ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନର ଆଜି ହେଉଛି ୫୩ତମ ଦିନ । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଏଯାବତ୍ ୯ ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ ଏହି ଅଚଳାବସ୍ଥାର କୌଣସି ସମାଧାନ ବାହାରି ପାରିନାହିଁ । କୃଷି ଆଇନକୁ ସ୍ଥଗିତ ରଖି ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ହେଲେ ଚାଷୀମାନେ ଏହି କମିଟିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେମାନେ ଏହି କମିଟି ଆଗରେ ହାଜର ହେବେ ନାହିଁ ବୋଲି କହିଛନ୍ତି । ବରଂ ସୁପ୍ରିମକୋର୍ଟ ଏକ ନୂଆ କମିଟି ଗଠନ କରନ୍ତୁ ବୋଲି ଏକ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବାହାର କରିବାକୁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଦିଲ୍ଲୀ ପୋଲିସ୍ ଚାଷୀଙ୍କୁ ଏଥିପାଇଁ ଅନୁମତି ଦେଉନାହିଁ ।

ଅନ୍ୟପକ୍ଷେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି କିଛି କୃଷକ ସଂଗଠନମାନେ ଅଭିଯୋଗ କରିଛନ୍ତି । ଗତକାଲି ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ତରଫରୁ କୃଷକ ନେତା ବଲଦେବ ସିଂହ ସିରସାଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଏକ ନିଷିଦ୍ଧ ସଂଗଠନ ଜଷ୍ଟିସ୍ ଫର ଶିଖ୍‌ସ (ଜେଏଫ୍‌ଏସ୍‌) ସହ ଜଡିତ ଥିବା ମାମଲାରେ ସିରସାଙ୍କୁ ଏହି ନୋଟିସ୍ ପଠା ଯାଇଥିଲା । ତେବେ ସିରସା ଏନ୍‌ଆଇଏ ଆଗରେ ହାଜର ହେବାକୁ ମନା କରିଦେଇଛନ୍ତି ।

Comments are closed.