ଚାଷୀ ଆନ୍ଦୋଳନ: ଆଜି ଚାଷୀଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ – ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୪୩ ଦିନରେ ପହଞ୍ଚିଛି । କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଆଜି ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିବେ । ଏହି ରାଲି ଜାନୁୟାରୀ ୨୬ରେ ହେବାକୁ ଥିବା ‘ଟ୍ରାକ୍ଟର ପରେଡ୍‌’ର ପୂର୍ବାଭ୍ୟାସ ବୋଲି ସେମାନେ କହିଛନ୍ତି । ଏହି ରାଲିରେ ୬୦ ହଜାର ଟ୍ରାକ୍ଟର ସାମିଲ ହେବେ । ଏହି ରାଲି ସୀଂଘୁ ସୀମାରୁ ଟିକରି, ଟିକରିରୁ ଶାହାଜାନାନପୁର, ଗାଜିପୁରରୁ ପଲବଲ ଏବଂ ପଲବଲରୁ ଗାଜିପୁର ପର୍ଯ୍ୟନ୍ତ ବାହାରିବ । ସୀଂଘୁ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନେ କହିଛନ୍ତି, ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ସେମାନେ ଦିଲ୍ଲୀ ରାଜପଥରେ ଜାନୁୟାରୀ ୨୬ରେ ଟ୍ରାକ୍ଟର ପରେଡ୍ କରିବେ । ପଞ୍ଜାବ ଓ ହରିୟାଣାର ମହିଳାମାନେ ଏହି ଟ୍ରାକ୍ଟର ପରେଡ୍‌ର ନେତୃତ୍ୱ ନେବେ । ଏହି ପରେଡ୍ କିଭଳି କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି ବୋଲି ସେମାନେ କହିଛନ୍ତି । ଟ୍ରାକ୍ଟର ପରେଡ୍ ପାଇଁ ହରିୟାଣାର ପ୍ରାୟ ୨୫୦ ମହିଳାଙ୍କୁ ଟ୍ରାକ୍ଟର ଚଳାଇବା ତାଲିମ ଦିଆଯାଉଛି ।

କୃଷି ଆଇନ ପ୍ରସଙ୍ଗରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏଯାବତ୍ ଆଠ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ବୈଠକ ଗୁରୁବାର ଅନୁଷ୍ଠିତ ହେବ । ପରବର୍ତ୍ତୀ ବୈଠକରେ ବି ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ନେଇ ଆଇନଗତ ପ୍ରତିଶ୍ରୁତି ଦେବାକୁ ଦାବି ଦେହରାଇବୁ ବୋଲି ଚାଷୀମାନେ କହିଛନ୍ତି ।

Comments are closed.