ଚେନ୍ନାଇ ଟେଷ୍ଟ:ଫଲୋଅନ୍ ଏଡାଇବାକୁ ଭାରତର ସଂଘର୍ଷ ଜାରି

ଚେନ୍ନାଇ – ରିଷଭ ପନ୍ତ ଓ ଚେତେଶ୍ୱର ପୂଜାରାଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବ୍ୟାକଫୁଟ୍‌ରେ ରହିଛି । ଇଂଲଣ୍ଡର ବିଶାଳ ପ୍ରଥମ ଇନିଂସ୍ ସ୍କୋର ୫୭୮ ରନ୍ ଜବାବରେ ଭାରତ ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ କରିଛି । ହାତରେ ମାତ୍ର ୪ଟି ୱିକେଟ୍ ରହିଥିବା ବେଳେ ଭାରତ ଆହୁରି ୩୨୧ ରନ୍ ପଛରେ ଅଛି । ତେବେ ଫଲୋଅନ୍ ଏଡ଼ାଇବାକୁ ଭାରତକୁ ଦରକାର ଆଉ ୧୨୭ ରନ୍ । ଷ୍ଟମ୍ପ ଅପସାରଣ ବେଳକୁ ୱାଶିଂଟନ ସୁନ୍ଦର ୩୩ ଓ ରବିଚନ୍ଦ୍ରନ ଅଶ୍ୱିନ ୮ ରନ୍ କରି ଅପରାଜିତ ଅଛନ୍ତି । ଇଂଲଣ୍ଡ ତରଫରୁ ସ୍ପିନର ଡମ୍ ବେସ୍ ୪ଟି ଓ ପେସର ଜୋଫ୍ରା ଆର୍ଚର ୨ଟି ୱିକେଟ୍ ହାସଲ କରିଛନ୍ତି ।

ପୂର୍ବରୁ ଇଂଲଣ୍ଡ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୫୫୫/୮ରୁ ଖେଳ ଆରମ୍ଭ କରି ୫୭୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ଓ ଶାହାବାଜ ନଦୀମ ପ୍ରତ୍ୟକ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଇଂଲଣ୍ଡର ୫୭୮ ରନ୍ ଜବାବରେ ଭାରତ ଶୀଘ୍ର ଓପନର ରୋହିତ ଶର୍ମା(୬)ଙ୍କ ୱିକେଟ୍ ହରାଇଥିଲା । ଜୋଫ୍ରା ଆର୍ଚରଙ୍କ ବଲରେ ରୋହିତ ସ୍ଲିପ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଶୁବମନ ଗିଲ୍ କେତେକ ଆକର୍ଷଣୀୟ ସଟ୍ ଖେଳି ଦୃଢ଼ ଷ୍ଟାର୍ଟ କରିଥିଲେ । ହେଲେ ବ୍ୟକ୍ତିଗତ ୨୯ ରନ୍ କରି ଆର୍ଚରଙ୍କ ଶିକାର ହୋଇଥିଲେ । ଅଧିନାୟକ ବିରାଟ କୋହଲି ମାତ୍ର ୧୧ ରନ୍ କରି ଆଉଟ୍ ହେବା ପରେ ଭାରତକୁ ଆଉ ଏକ ବଡ଼ ଝଟକା ଲାଗିଥିଲା । ବେସ୍ ଏହି ବଡ଼ ୱିକେଟ୍ ନେଇଥିଲେ । ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୧) ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ ।

ଭାରତ ୭୩ ରନରେ ୪ଟି ୱିକେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ ପନ୍ତ୍ ଓ ପୂଜାରା ପଞ୍ଚମ ୱିକେଟରେ ୧୧୯ ରନ୍ ଯୋଗକରି ଦଳୀୟ ସ୍ଥିତି ସମ୍ଭାଳିଥିଲେ । ପନ୍ତ ନିଜ ଚିରାଚରିତ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ୯ଟି ଚୌକା ଓ ୫ଟି ଛକା ବଳରେ ୯୧ ରନ୍ କରିଥିଲେ । ପୂଜାରା ୧୧ଟି ଚୌକା ସହ ୭୩ ରନ୍ କରିଥିଲେ । ପୂଜାରାଙ୍କୁ ଆଉଟ୍ କରି ବେସ୍ ଏହି ଯୋଡ଼ି ଭାଙ୍ଗିଥିଲେ । ପରେ ସେ ପନ୍ତଙ୍କ ୱିକେଟ୍ ବି ନେଇଥିଲେ ।

Comments are closed.