ଜନସନ୍ ଆଣ୍ଡ୍ ଜନସନ୍‌ର କରୋନା ଟିକାକୁ ଆମେରିକାରେ ଅନୁମତି

ନ୍ୟୁୟର୍କ – ଜନସନ୍ ଆଣ୍ଡ ଜନସନ୍ ଦ୍ୱାରା ବିକଶିତ କରୋନା ଟିକାକୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ମଡେର୍ଣ୍ଣା ଓ ଫାଇଜର ପରେ ଜନସନ୍ ଆଣ୍ଡ ଜନସନ୍ ହେଉଛି ତୃତୀୟ କୋଭିଡ୍ ଟିକା, ଯାହାକୁ ଆମେରିକାରେ ଅନୁମତି ଦିଆଯାଇଛି । ତେବେ ଜନସନ୍ ଆଣ୍ଡ ଜନସନ୍ ହେଉଛି ପ୍ରଥମ ‘ସିଙ୍ଗଲ୍ ଡୋଜ୍‌’ ଟିକା । ତୃତୀୟ କୋଭିଡ୍ ଟିକାର ଉପଲବ୍ଧ କରୋନା ବିରୋଧୀ ଲଢ଼େଇ ପାଇଁ ଭଲ ଖବର ବୋଲି ହ୍ୱାଇଟ୍ ହାଉସ୍‌ର ସିନିୟର ଅଫିସର ଆଣ୍ଡି ସାଲ୍‌ଭିଟ୍ କହିଛନ୍ତି ।

ଆମେରିକାର ଡ୍ରଗ୍ସ ନିୟନ୍ତ୍ରକ ‘ଏଫ୍‌ଡିଏ’ର ପରାମର୍ଶଦାତା ପ୍ୟାନେଲ ଶୁକ୍ରବାର ଜନସନ୍ ଆଣ୍ଡ ଜନସନ୍ କରୋନା ଟିକାର ସୁପାରିସ୍ ପାଇଁ ଭୋଟିଂ କରିଥିଲା । ଏଥିରେ ୨୨ ଜଣ ସଦସ୍ୟ ଏହି ଟିକା ସପକ୍ଷରେ ଭୋଟିଂ କରିଥିବା ବେଳେ ଏହାର ବିରୋଧରେ ଗୋଟିଏ ବି ଭୋଟ୍ ପଡିନଥିଲା ।

ଆମେରିକା ସମେତ ଦକ୍ଷିଣ ଆଫ୍ରିକା ଓ ଲାଟିନ୍ ଆମେରିକୀୟ ଦେଶ ଗୁଡିକରେ ୪୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ ଜନସନ୍ ଆଣ୍ଡ ଜନସନ୍ ଟିକାର ଟ୍ରାଏଲ୍ ହୋଇଥିଲା । ଏଫ୍‌ଡିଏ ଅନୁସାରେ ଏହି ଟିକା ମଧ୍ୟମ ଓ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଇଥିଲା । ଟ୍ରାଏଲରେ ଏହି ଟିକା କରୋନା ସଂକ୍ରମଣକୁ ରୋକିବାରେ ୬୬.୧% ପ୍ରଭାବୀ ସାବ୍ୟସ୍ତ ହୋଇଥିଲା ।

ଆମେରିକାରେ କରୋନାର ଏଯାବତ୍ ମୋଟ ୨.୯୨ କୋଟି ମାମଲା ରେକର୍ଡ କରାଯାଇଛି । ଏଥିମଧ୍ୟରୁ ୫.୨୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ଦେଶରେ କରୋନା ବିରୋଧୀ ଟିକାକରଣ ଡିସେମ୍ବର ଠାରୁ ଆରମ୍ଭ ହୋଇଥିଲେ ବି ଚାହିଦା ମୁତାବକ ଟିକାର ଯୋଗାଣ ହେଉନାହିଁ ।

Comments are closed.