ଜାନୁୟାରୀ ୫ରୁ ଭାରତୀୟ ହକି ଦଳର ଜାତୀୟ କ୍ୟାମ୍ପ୍

ନୂଆଦିଲ୍ଲୀ – ତିନି ସପ୍ତାହର ବ୍ରେକ୍ ପରେ ଭାରତୀୟ ପୁରୁଷ ହକି ଦଳର ଜାତୀୟ କ୍ୟାମ୍ପ ଆସନ୍ତା ଜାନୁୟାରୀ ୫ରୁ ବେଙ୍ଗାଲୁରୁରେ ଆରମ୍ଭ ହେଉଛି । ଅଧିନାୟକ ମନପ୍ରୀତ ସିଂ ଓ ଗୋଲକିପର ପିଆର ଶ୍ରୀଜେଶଙ୍କ ସମେତ ଏହି କ୍ୟାମ୍ପରେ ୩୩ ଜଣ ଭାରତୀୟ ଖେଳାଳି ଯୋଗଦେବେ । ଏହି ଜାତୀୟ ଶିବିର ବେଙ୍ଗାଲୁରୁ ସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କ୍ୟାମ୍ପସରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଖେଳାଳିଙ୍କୁ ହକି ଇଣ୍ଡିଆ ଓ ସାଇ ଦ୍ୱାରା ଜାରି କୋଭିଡ୍ ପ୍ରୋଟୋକଲ ଅନୁସାରେ କିଛିଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।

ଆଗାମୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଲାଗି ସଠିକ୍ ପ୍ରସ୍ତୁତି କରିବା ଏହି ଜାତୀୟ ଶିବିରର ଲକ୍ଷ୍ୟ ବୋଲି ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ କହିଛନ୍ତି ।
ଭାରତୀୟ ଦଳ ଅଗଷ୍ଟରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ । ମହିଳା ଦଳ ଚଳିତ ମାସରେ ଏକ ୮ ମ୍ୟାଚ୍ ସିରିଜ୍ ଖେଳିବା ଲାଗି ଅର୍ଜେଣ୍ଟିନା ଗସ୍ତରେ ଯିବେ । ସେପଟେ ପୁରୁଷ ଦଳ ପାଇଁ ମଧ୍ୟ କିଛି ଦ୍ୱିପାକ୍ଷିକ ସିରିଜ୍ ଆୟୋଜନ କରିବା ଲାଗି ହକି ଇଣ୍ଡିଆ ବିଭିନ୍ନ ଦେଶ ସହ ଆଲୋଚନା ଜାରି ରଖିଛି । ଭାରତୀୟ ପୁରୁଷ ହକି ଦଳ ଶେଷଥର ଗତବର୍ଷ ଫେବୃୟାରୀ ୨୨ରେ ଏଫ୍ଆଇଏଚ ପ୍ରୋ ଲିଗ ଅଧୀନରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା ।
ଭାରତୀୟ ସମ୍ଭାବ୍ୟ ଦଳ: ଗୋଲ୍କିପର – ପିଆର ଶ୍ରୀଜେଶ, କ୍ରିଷ୍ଣା ବି ପାଠକ, ସୂରଜ କାର୍କେରା, ଡିଫେଣ୍ଡର – ବୀରେନ୍ଦ୍ର ଲାକ୍ରା, ରୂପିନ୍ଦର ପାଲ ସିଂ, ସୁରେନ୍ଦ୍ର କୁମାର, ଅମିତ ରୋହିଦାସ, କୋଥାଜିତ୍ ସିଂ ଖାଡାଙ୍ଗବମ୍, ହରମନପ୍ରୀତ ସିଂ, ଗୁରିନ୍ଦର ସିଂ, ଜର୍ମନପ୍ରୀତ ସିଂ, ବରୁଣ କୁମାର, ଦୀପସାନ୍ ତିର୍କୀ, ନିଲମ ସଞ୍ଜିବ ସେସ୍, ମିଡଫିଲ୍ଡର – ମନପ୍ରୀତ ସିଂ, ଚିଙ୍ଗଲସାନା ସିଂ କାଙ୍ଗୁଜାମ, ନୀଳକାନ୍ତ ଶର୍ମା, ସୁମିତ, ଯଶକରନ ସିଂ, ରାଜକୁମାର ପାଲ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଫରୱାର୍ଡ – ଏସ୍ଭି ସୁନୀଲ, ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ରମନଦୀପ ସିଂ, ସିମରନଜୀତ ସିଂ, ଶମସେର ସିଂ, ଗୁର୍ଜନ୍ତ ସିଂ, ଦିଲପ୍ରୀତ ସିଂ, ଗୁରସାହିବଜିତ ସିଂ, ଶିଳାନନ୍ଦ ଲାକ୍ରା ।

Comments are closed.