ଜାହ୍ନବୀଙ୍କ ଫିଲ୍ମର ସୁଟିଂ ରୋକିଲେ ଚାଷୀ

ନୂଆଦିଲ୍ଲୀ – ପଞ୍ଜାବର ପଟିଆଲାରେ ଚାଲିଥିବା ଅଭିନେତ୍ରୀ ଜାହ୍ନବୀ କାପୁରଙ୍କ ଫିଲ୍ମ ‘ ଗୁଡ୍ ଲକ୍ ଜେରୀ’ର ସୁଟିଂକୁ କିଛି ଚାଷୀ ଜୋର ଜବରଦସ୍ତ ବନ୍ଦ କରିଛନ୍ତି । ତିନି କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ଜାହ୍ନବୀ ବୟାନ ଦେବାକୁ ଦାବି କରି ସେମାନେ ଫିଲ୍ମର ସୁଟିଂକୁ ରୋକିଥିଲେ । ଦ୍ୱିତୀୟ ଥର ପାଇଁ ‘ଗୁଡ୍ ଲକ୍ ଜେରୀ’ର ସୁଟିଂ ବ୍ୟାହତ ହୋଇଛି । ପୂର୍ବରୁ ଫତେହଗଡ଼ ସାହିବ ଜିଲ୍ଲାରେ ବି କିଛି ଚାଷୀ ଏହି ଫିଲ୍ମ ସୁଟିଂରେ ବ୍ୟାଘାତ ସୃଷ୍ଟି କରିଥିଲେ ।

ଶନିବାର ପଟିଆଲାର ପଞ୍ଜାବ ବାଗ୍‌ରେ ଏହି ଫିଲ୍ମର ସୁଟିଂ ଚାଲିଥିଲା ବେଳେ ହଠାତ୍ କିଛି ଚାଷୀ ସେଠାରେ ପହଞ୍ଚିଯାଇଥିଲେ । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାହ୍ନବୀ ବୟାନ ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ । ଆମେ ସେମାନଙ୍କୁ ଏଠାରେ ଫିଲ୍ମ ସୁଟିଂ ନ କରିବାକୁ ଚେତାବନୀ ଦେଇଥିଲୁ । ତଥାପି ସେମାନେ ଏଠାରେ ସୁଟିଂ ଜାରି ରଖିଛନ୍ତି । କାହା ବିରୋଧରେ ଆମର କୌଣସି ଆକ୍ରୋଶ ନାହିଁ । ଯଦି ଜାହ୍ନବୀ ଚାଷୀ ଆନ୍ଦୋଳନ ସପକ୍ଷରେ ବୟାନ ଦିଅନ୍ତି, ତେବେ ଆମେ ସେମାନଙ୍କୁ ଏଠାରେ ଫିଲ୍ମର ସୁଟିଂ କରିବାକୁ ଅନୁମତି ଦେବୁ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି । ଚାଷୀଙ୍କ ବିରୋଧ ପରେ ଫିଲ୍ମ ସୁଟିଂ କିଛି ସମୟ ପାଇଁ ବନ୍ଦ ରହିବା ପରେ ପୋଲିସ୍ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲା । ପୋଲିସର ହସ୍ତକ୍ଷେପ ପରେ ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଥିଲା ।

Comments are closed.