‘ଟିକା, ଅକ୍ସିଜେନ ଓ ଔଷଧ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଗାଏବ୍’

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସାରା ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି। କୋଭିଡର‌ ନୂଆ ମାମଲା ସହ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ବଢୁଛି। ଏଭଳି ଏକ ଘଡିସନ୍ଧି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଟିକା, ଅକ୍ସିଜେନ ଏବଂ ଔଷଧ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଗାଏବ୍ ହୋଇଯାଇଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି, ଟିକା, ଅକ୍ସିଜେନ ଏବଂ ଔଷଧ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ନିଖୋଜ ଅଛନ୍ତି। କେବଳ ସେଣ୍ଟ୍ରାଲ୍ ଭିସ୍ତା, ଔଷଧ ଉପରେ ଜିଏସଟି ଏବଂ ଏଠି ସେଠି ପ୍ରଧାନମନ୍ତ୍ରୀଙ୍କ ଫଟୋଗ୍ରାଫ୍ ଯାହା ବାକି ଅଛି।

ରାହୁଲ ଗାନ୍ଧୀ ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ‘ଦୁଃଖଦ ଖବର ବାରମ୍ବାର ଆସୁଛି। ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ | ଏହି ମହାମାରୀରେ ଆମ ଦେଶବାସୀ କେତେ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିଷ୍ଠୁରତା ସହିବେ ? ଯେଉଁମାନଙ୍କର ଉତ୍ତରଦାୟିତ୍ୱ ଅଛି ସେମାନେ କୌଣସି ସ୍ଥାନରେ ଲୁଚି ରହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କରୋନା ସଙ୍କଟ ମଧ୍ୟରେ ଦେଶରେ ଟିକା, ଅକ୍ସିଜେନ ଏବଂ ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି।

ଗୁରୁବାର ଦେଶରେ କୋଭିଡ-୧୯ ର ୩,୬୨,୭୨୭ ନୂଆ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ପୁଣି ୪୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ମାମଲା ୨,୩୭,୦୩,୬୬୫ରେ ପହଞ୍ଚିଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨,୫୮,୩୧୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭,୧୦,୫୨୫ ସକ୍ରିୟ ରୋଗୀ ଅଛନ୍ତି।

Comments are closed.