ଟିକା ଉତ୍ପାଦନ କ୍ଷମତା ସମ୍ପର୍କରେ ଜଣାଇବାକୁ ସେରମ୍ ଓ ଭାରତ ବାୟୋଟେକ୍‌କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍‌କୁ ସେମାନଙ୍କ ଟିକା ଉତ୍ପାଦନ କ୍ଷମତା ସମ୍ପର୍କରେ ଜଣାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେରମ୍‌ର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ସମ୍ପ୍ରତି ଦେଶରେ କରୋନା ବିରୋଧୀ ଟିକାକରଣ ଅଭିଯାନରେ ବ୍ୟବହାର କରାଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟରେ କିଛି ନିର୍ଦ୍ଦିଷ୍ଟ ବୟସ ବର୍ଗର ବ୍ୟକ୍ତିଙ୍କ ଟିକାକରଣ କରିବା ନିଷ୍ପତ୍ତି ର ଯଥାର୍ଥତା ନେଇ ଜବାବ ରଖିବାକୁ ମଧ୍ୟ କୋର୍ଟ କେନ୍ଦ୍ରକୁ କହିଛନ୍ତି । ମାର୍ଚ୍ଚ ପହିଲାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ଦୁରାରୋଗରେ ପୀଡିତ ୪୫-୬୦ ବର୍ଷ ବୟସର ଲୋକଙ୍କୁ ଟିକା ଦିଆଯାଉଛି ।

ଜଷ୍ଟିସ୍ ବିପିନ ସିଂହ ଏବଂ ରେଖା ପାଲ୍ଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆହୁରି ଅଧିକ ଟିକା ଉତ୍ପାଦନ କରିବା ପାଇଁ ସେରମ୍ ଓ ଭାରତ ବାୟୋଟେକ୍‌ର କ୍ଷମତା ଅଛି । କିନ୍ତୁ ସେମାନେ ନିଜ କ୍ଷମତାର ପୂର୍ଣ୍ଣ ଉପଯୋଗ କରୁନାହାନ୍ତି । ସେମାନେ ନିଜ ଦେଶର ଲୋକଙ୍କ ପାଇଁ ଟିକା ଉତ୍ପାଦନ କରିବା ପରିବର୍ତ୍ତେ ବିଦେଶକୁ ଟିକା ରତ୍ପାନୀ କରୁଛନ୍ତି । ଦେଶରେ ଚାଲିଥିବା ଟିକାକରଣରେ ନେଇ ସେମାନଙ୍କ କିଛି ଦାୟିତ୍ୱ ରହିଛି । ଏ ଦିଗରେ ସେମାନେ ତତ୍ପରତା ଦେଖାଇବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।
ଅଦାଲତ କାର୍ଯ୍ୟ ସହ ଜଡିତ ସବୁ କର୍ମଚାରୀଙ୍କୁ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ଭାବେ ବିବେଚନା କରିବା ପାଇଁ ଦିଲ୍ଲୀ ବାର୍ କାଉନସିଲ କରିଥିବ ଦାବିର ତର୍ଜ୍ଜମା କରିବା ବେଳେ କୋର୍ଟ ଏହା କହିଛନ୍ତି ।

Comments are closed.